ବିହାରରେ ବିଜେପି ନେତାଙ୍କୁ ଘର ସାମ୍ନାରେ ଗୁଳି କରି ହତ୍ୟା; ପଶ୍ଚିମବଙ୍ଗ ଆଡ଼କୁ ଖସି ପଳାଇଲେ ଦୁର୍ବୃତ୍ତ, ରାସ୍ତା ସିଲ୍‌ କଲା ପୋଲିସ

ବିହାରର କଟିହାର ଜିଲ୍ଲାରେ ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜେପି ନେତା ସଞ୍ଜୀବ ମିଶ୍ରାଙ୍କୁ ଗୁଳି କରି ହତ୍ୟା କରାଯାଇଛି। କିଛି ଅଜଣା ବାଇକ୍‌ ଚାଳକ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି। କଟିହାରର ଏହି ଅଞ୍ଚଳ ବିହାର-ପଶ୍ଚିମବଙ୍ଗ ସୀମା ନିକଟରେ ରହିଛି। ସୂଚନା ମିଳିବା କ୍ଷଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରି ଦେଇଛି।

ମିଳିଥିବା ଖବର ମୁତାବକ, ଘଟଣା ତେଲତା ଥାନା ଅଞ୍ଚଳର। ଦୁଇ ଅଜଣା ଦୁର୍ବୃତ୍ତ ସଞ୍ଜୀବ ମିଶ୍ରାଙ୍କୁ ତାଙ୍କ ଘର ସାମ୍ନାରେ ହିଁ ଗୁଳି ମାରିଥିଲେ, ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ସଞ୍ଜୀବ ମିଶ୍ରା ବିହାର-ପଶ୍ଚିମବଙ୍ଗ ସୀମାର ସୁଦୂର ଅଞ୍ଚଳରେ ଅନେକ ବର୍ଷ ଧରି ବିଜେପି ରାଜନୀତି କରି ଆସୁଥିଲେ। ଏହା ପୂର୍ବରୁ ମଧ୍ୟ ବିଧାନ ପରିଷଦ ନିର୍ବାଚନ ସମୟରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଆଉ ଆଜି ମଙ୍ଗଳବାର ସକାଳେ ଅଜଣା ଦୁର୍ବୃତ୍ତମାନେ ତାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।

ଏହା ମଧ୍ୟ କୁହାଯାଇଛି କି, ସଞ୍ଜୀବ ମିଶ୍ରା କଟିହାରର ବିଧାନ ପରିଷଦ ସଦସ୍ୟ ଅଶୋକ କୁମାର ଅଗ୍ରଓ୍ଵାଲଙ୍କର ଘନିଷ୍ଠ ଥିଲେ। ତେବେ ପ୍ରାଥମିକ ତଦନ୍ତରେ ପାରସ୍ପରିକ ଶତ୍ରୁତା କଥା ସାମ୍ନାକୁ ଆସୁଛି। ଘଟଣାର ସୂଚନା ମିଳିବା କ୍ଷଣି ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ସେପଟେ ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ତେଲତା ଓପି ଥାନାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

ସ୍ଥିତିକୁ ନଜରରେ ରଖି ପୋଲିସ ଆଖପାଖର ସମସ୍ତ ରାସ୍ତାକୁ ସିଲ୍‌ କରି ଦେଇଛି ଏବଂ ଦୁର୍ବୃତ୍ତମାନଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି। ଆଶଙ୍କା କରାଯାଉଛି କି, ଏମିତି କାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ପଶ୍ଚିମବଙ୍ଗ ଆଡ଼କୁ ଖସି ପଳାଇଛନ୍ତି।

Leave A Reply

Your email address will not be published.