କାମଚଳା ବାଚସ୍ପତି ହେଲେ ଭର୍ତ୍ତୃହରି ମହତାବ

କାମଚଳା ବାଚସ୍ପତି ହେଲେ ଭର୍ତ୍ତୃହରି । କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସମ୍ବିଧାନରେ ଧାରା ୯୫(୧) ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭାର କାମଚଳା ବାଚସ୍ପତି ନିଯୁକ୍ତ କରିଛନ୍ତି । ବାଚସ୍ପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ଭର୍ତ୍ତୃହରି କାମଚଳା ବାଚସ୍ପତି ଦାୟିତ୍ୱ ତୁଲାଇବେ । ସେ ଲୋକସଭାକୁ ୭ ଥର ସାଂସଦ ନିର୍ବାଚିତ ହୋଇଛନ୍ତି ।
ସେହିପରି ରାଷ୍ଟ୍ରପତି ସମ୍ବିଧାନର ଧାରା ୯୯ ଅନୁଯାୟୀ କାମଚଳା ବାଚସ୍ପତିଙ୍କୁ ସହାୟତା କରିବା ପାଇଁ ସାଂସଦ ସୁରେଶ କୋଡ଼ିକୁନିଲ, ଟିଆର ବାଲୁ, ରାଧାମୋହନ ସିଂ, ଫଗନ ସିଂ କୁଲସ୍ତେ ଓ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ନିଯୁକ୍ତି ଦେଇଛନ୍ତି । ସ୍ଥାୟୀ ବାଚସ୍ପତି ନିର୍ବାଚିତ ହେବା ପର୍ଯ୍ୟନ୍ତ କାମଚଳା ବାଚସ୍ପତି ଗୃହ କାର୍ଯ୍ୟ ପରିଚାଳନା କରିବା ସହ ନବନିର୍ବାଚିତ ଲୋକସଭାର ସାଂସଦମାନଙ୍କୁ ଶପଥ ପାଠ କରାଇବେ ।
କାମଚଳା ବାଚସ୍ପତି ଲୋକସଭାର ବାଚସ୍ପତି ଓ ଉପବାଚସ୍ପତି ନିର୍ବାଚନ ପରିଚାଳନା କରିବେ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜୁଜୁ କାମଚଳା ବାଚସ୍ପତି ନିଯୁକ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ଜୁନ ୨୪ ତାରିଖରୁ ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ । ଏହା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ।