ମହାରାଷ୍ଟ୍ର ନିର୍ବାଚନ ପାଇଁ ବିଜେପି ଜାରି କଲା ପ୍ରଥମ ତାଲିକା, ଫଡଣଭିସ୍‌ଙ୍କ ସମେତ ୯୯ ପ୍ରାର୍ଥୀ ଘୋଷଣା

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ଅନେକ ବଡ଼ ନେତାଙ୍କ ସମେତ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଦଳର ପ୍ରଥମ ତାଲିକାରେ ରହିଛି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସ୍‌ଙ୍କ ନାମ । ତାଙ୍କୁ ନାଗପୁର ସାଉଥ୍‌ ୱେଷ୍ଟରୁ ନିର୍ବାଚନ ମୈଦାନକୁ ଆଣିଛି ବିଜେପି ।

ଦଳ ଏଥର ପ୍ରଦେଶ ସଭାପତି ଚନ୍ଦ୍ରଶେଖର ବାଓ୍ୱନକୁଲେଙ୍କୁ ମଧ୍ୟ ପ୍ରାର୍ଥୀ କରିଛି । ତାଙ୍କୁ କାମଠିରୁ ଟିକେଟ୍‌ ଦିଆଯାଇଛି । ୨୦୧୯ ବିଧାନସଭା ନିର୍ବାଚନରେ ଦଳ ବାଓ୍ୱନକୁଲେଙ୍କୁ ଟିକେଟ୍‌ ଦେଇ ନ ଥିଲା । ଏଥର ଦଳ ତାଙ୍କ ଉପରେ ଭରସା କରିଛି ।

ଏହାସହ କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ବରିଷ୍ଠ ନେତା ଅଶୋକ ଚୌହାନଙ୍କ ଝିଅ ଶ୍ରୀଜୟା ଚୌହାନଙ୍କୁ ଦଳ ଭୋକରରୁ ଟିକେଟ୍‌ ଦେଇଛି । ଦଳ ପ୍ରଥମ ତାଲିକାରେ ଶ୍ରୀଜୟାଙ୍କ ସମେତ ୧୩ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ।

ସେପଟେ କଣକଓ୍ୱଲି ଆସନରୁ ନୀତୀଶ ନାରାୟଣ ରାଣେଙ୍କୁ ଏବଂ ଘାଟକୋପର ୱେଷ୍ଟରୁ ରାମ କଦମଙ୍କୁ ଦଳ ପ୍ରାର୍ଥୀ ଭାବରେ ଛିଡ଼ା କରାଇଛି ।

ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ମିଳିତ ଭାବରେ ନିର୍ବାଚନ ଲଢ଼ୁଛି । ଏଥିରେ ବିଜେପି, ଶିବସେନା (ସିନ୍ଦେ ଦଳ) ଓ ଏନ୍‌ସିପି (ଅଜିତ୍‌ ଦଳ) ଅନ୍ତର୍ଭୁକ୍ତ । ସିଟ୍‌ ଆବଣ୍ଟନକୁ ନେଇ ଗତ ଦୁଇ ଦିନ ଧରି ଅନୁଷ୍ଠିତ ବୈଠକ ପରେ ଆଜି ବିଜେପି ନିଜର ପ୍ରଥମ ତାଲିକା ଜାରି କରିିଛି ।

ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଅର୍ଥାତ୍‌ ନଭେମ୍ବର ୨୦ରେ ମତଦାନ ହେବ ଏବଂ ୨୩ରେ ଫଳାଫଳ ବାହାରିବ ।