ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା, ଗର୍ଭବତୀଙ୍କୁ ୨୧୦୦୦ ଟଙ୍କା…; ଦିଲ୍ଲୀରେ ବିଜେପିର ବଡ଼ ନିର୍ବାଚନୀ ପ୍ରତିଶ୍ରୁତି

ମହିଳାଙ୍କୁ ପ୍ରତି ମାସରେ ମିଳିବ ୨୫୦୦ ଟଙ୍କା । ଏଲପିଜି ସିଲିଣ୍ଡର ଉପରେ ଦିଆଯିବ ୫୦୦ ଟଙ୍କା ସବସିଡି । ଦିଲ୍ଲୀରେ ଏମିତି କିଛି ଘୋଷଣା କରିଛି ବିଜେପି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ସଂକଳ୍ପ ପତ୍ରର ପ୍ରଥମ ଭାଗ ଜାରି କରିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଂକଳ୍ପ ପତ୍ର ଜାରି କରି କହିଛନ୍ତି, ଦଳ ୨୦୧୪ରେ ୫୦୦ ପ୍ରତିଶ୍ରୁତି ଦେଇଥିଲା, ଯେଉଁଥିରୁ ୪୯୯ ପ୍ରତିଶ୍ରୁତି ପୂରଣ କରାଯାଇଛି ।

ସେ କହିଛନ୍ତି, ଆମର ପ୍ରତିଶ୍ରୁତି ପାଳନ କରିବାର ରେକର୍ଡ ସର୍ବୋତ୍ତମ । ଆମର ରେକର୍ଡ ୯୯.୯ ପ୍ରତିଶତ । ଏହା ବିକଶିତ ଦିଲ୍ଲୀର ମୂଳଦୁଆର ସଂକଳ୍ପ । ଦିଲ୍ଲୀର ସମସ୍ତ ଯୋଜନା ଜାରି ରହିବ । ଆମେ ବସ୍ତି ବାସିନ୍ଦାଙ୍କୁ ମୁଖ୍ୟ ସ୍ରୋତକୁ ଆଣିବୁ । ଆଜି ୨୫ କୋଟି ଲୋକ ଦାରିଦ୍ର୍ୟ ସୀମାରୁ ବାହାରି ଆସିଛନ୍ତି । ଦିଲ୍ଲୀରେ ଯେଉଁ ଜନକଲ୍ୟାଣକାରୀ ଯୋଜନା ଚାଲିଛି, ତାହା ବିଜେପି ସରକାର ଆସିବା ପରେ ମଧ୍ୟ ଜାରି ରହିବ । ଆମେ ମହାରାଷ୍ଟ୍ରରେ ମହିଳାମାନଙ୍କୁ ସହାୟତା ରାଶି ଦେଉଛୁ । ହରିୟାଣାରେ ମହିଳାମାନଙ୍କୁ ୨୧୦୦ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛୁ ।

ତେବେ ସଂକଳ୍ପ ପତ୍ରର ଭାଗ-୧ରେ ବିଜେପି ଅନେକ ବଡ଼ ପ୍ରତିଶ୍ରୁତି ଦେଇଛି । ସେଥି ମଧ୍ୟରେ ଏଲପିଜି ସିଲିଣ୍ଡର ଉପରେ ୫୦୦ ଟଙ୍କା ସବସିଡି ଦିଆଯିବ । ମହିଳା ସମୃଦ୍ଧି ଅଧୀନରେ ମହିଳାମାନଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦିଆଯିବ । ଗର୍ଭବତୀ ମହିଳାଙ୍କୁ ୨୧୦୦୦ ଟଙ୍କା ଏବଂ ନ୍ୟୁଟ୍ରିସନାଲ୍ ପ୍ୟାକ୍ ମିଳିବ । ହୋଲି ଓ ଦୀପାବଳିରେ ଗୋଟିଏ ଲେଖାଏ ସିଲିଣ୍ଡର ମାଗଣାରେ ପ୍ରଦାନ କରାଯିବ । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ । ଆୟୁଷ୍ମାନ ଭାରତ ଯୋଜନାକୁ ଦିଲ୍ଲୀରେ ବି ଲାଗୁ କରାଯିବ । ଅଟଳ କ୍ୟାଣ୍ଟିନ୍ ଯୋଜନା ଲଞ୍ଚ୍ ହେବ ଏବଂ ବରିଷ୍ଠ ନାଗରିକମାନଙ୍କୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ରାଶି ଦିଆଯିବ ।

କହି ରଖୁଛୁ, ଦିଲ୍ଲୀ ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନର ଶେଷ ଦିନ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବସ୍ ସେବା, ଅରବିନ୍ଦ କେଜ୍ରିୱାଲ ଦେଲେ ଆଉ ଏକ ନିର୍ବାଚନୀ ପ୍ରତିଶ୍ରୁତି

You might also like