ହରିୟାଣାର ପ୍ରତ୍ୟେକ ଅଗ୍ନିବୀରଙ୍କୁ ସ୍ଥାୟୀ ଚାକିିରି, ମହିଳାଙ୍କୁ ମାସକୁ ୨୧୦୦ ଟଙ୍କା…ସଂକଳ୍ପ ପତ୍ରରେ ବିଜେପିର ପ୍ରତିଶ୍ରୁତି

ହରିୟାଣା ନିର୍ବାଚନ ପାଇଁ ବିଜେପି ଜାରି କଲା ନିଜର ଘୋଷଣା ପତ୍ର । ଦଳ ଏହାର ନାମ ରଖିଛି ସଂକଳ୍ପ ପତ୍ର । ଏଥିରେ ବିଜେପି ହରିୟାଣା ଲୋକଙ୍କୁ ୨୦ଟି ପ୍ରତିଶ୍ରୁତି ଦେଇଛି । ରୋହତକରେ ଘୋଷଣା ପତ୍ର ଜାରି ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ ।

ବିଜେପି ନିଜ ସଂକଳ୍ପ ପତ୍ରରେ ମହିଳାମାନଙ୍କୁ ‘ଲାଡୋ ଲକ୍ଷ୍ମୀ ଯୋଜନା’ ଅଧୀନରେ ପ୍ରତି ମାସରେ ୨୧୦୦ ଟଙ୍କା ଦେବାକୁ ଘୋଷଣା କରିଛି । IMT ଖରଖୋଦା ଲାଇନରେ ୧୦ଟି ଔଦ୍ଦ୍ୟୋଗିକ ସହର ନିର୍ମାଣ କରାଯିବ । ପ୍ରତ୍ୟେକ ସହରରେ ସ୍ଥାନୀୟ ୫୦ ହଜାର ଯୁବକଙ୍କୁ ଚାକିରି ଦେବା ପାଇଁ ଉଦ୍ୟୋଗୀମାନଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦିଆଯିବ ।

‘ଚିରାୟୁ-ଆୟୁଷ୍ମାନ ଯୋଜନା’ ଅଧୀନରେ ପ୍ରତି ପରିବାରକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ । ପରିବାରର ୭୦ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ବୃଦ୍ଧ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ।

ସର୍ବନିମ୍ନ ସହାୟତା ମୂଲ୍ୟ (MSP)ରେ ୨୪ଟି ଫସଲ କ୍ରୟ କରାଯିବ । ଏହି ସଂକଳ୍ପ ପତ୍ର ଜରିଆରେ ବିଜେପି ଦୁଇ ଲକ୍ଷ ଯୁବକଙ୍କୁ ‘without slip and without expense’ ସରକାରୀ ଚାକିରିର ଗ୍ୟାରେଣ୍ଟି ଦେଇଛି । ଏହିପରି ପାଞ୍ଚ ଲକ୍ଷ ଯୁବକଙ୍କୁ ମାସିକ ଷ୍ଟାଇପେଣ୍ଡ ମଧ୍ୟ ପ୍ରଦାନ କରାଯିବ ।

ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ୫ ଲକ୍ଷ ଘର ନିର୍ମାଣ କରାଯିବ । ‘ହର ଘର ଗୃହିଣୀ’ ଯୋଜନା ଅଧୀନରେ ୫୦୦ ଟଙ୍କାରେ ସିଲିଣ୍ଡର ମିଳିବ । ‘ଅଓ୍ୱାଲ ବାଳିକା’ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ କଲେଜ ଯାଉଥିବା ପ୍ରତ୍ୟେକ ଛାତ୍ରୀଙ୍କୁ ସ୍କୁଟର ଦିଆଯିବ । କେବଳ ଏତିକି ନୁହେଁ, ହରିୟାଣାର ପ୍ରତ୍ୟେକ ଅଗ୍ନିବୀରଙ୍କୁ ସ୍ଥାୟୀ ସରକାରୀ ଚାକିରି ମିଳିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like