ହରିୟାଣା ବିଜେପି ରାହୁଲ ଗାନ୍ଧିଙ୍କୁ ପଠାଇଲା ୧ କିଲୋ ଜିଲାପି, ୬୦୯ ଟଙ୍କା ବିଲ୍‌ ଭରିବେ କଂଗ୍ରେସ ନେତା

ଏଥର ହରିୟାଣା ବିଧାନସଭା ନିର୍ବାଚନରେ ଜିଲାପିକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହୋଇଛି । ନିର୍ବାଚନରେ ବିଜେପିର ଜିତାପଟ୍‌ ପରେ ହରିୟାଣା ବିଜେପି ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପଠାଯାଇଛି ୧ କିଲୋ ଜିଲାପି । ବିଜେପିର କାର୍ଯ୍ୟକର୍ତ୍ତାମାନେ ରାହୁଲ ଗାନ୍ଧିଙ୍କ ବାସଭବନକୁ ଜିଲାପି ବକ୍ସ ପଠାଇଛନ୍ତି ।

ଏହାର ବିଲ୍‌କୁ ମଧ୍ୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ସେୟାର କରାଯାଇଛି । ବିଲ୍‌ର ଠିକଣା ନୋଟ୍‌ରେ ‘ରାହୁଲ ଗାନ୍ଧିଙ୍କ ପାଇଁ ଜିଲାପି’ ମଧ୍ୟ ଲେଖାଯାଇଛି । ଜିଲାପି ବକ୍ସକୁ କନ୍ନଟ୍‌ ପ୍ଲେସସ୍ଥିତ ଜଣାଶୁଣା ମିଠା ଦୋକାନରୁ ଅର୍ଡର କରାଯାଇଛି । ଏହାର ଦାମ୍‌ ଟ୍ୟାକ୍ସ ଆଦିକୁ ମିଶାଇ ରହିଛି ୬୦୯ ଟଙ୍କା ।

ହରିୟାଣା ବିଜେପିର ଏହି ସୋସିଆଲ ମିଡିଆ ପୋଷ୍ଟ ପରେ ୟୁଜରମାନେ ଖୁବ୍‌ ଟେ୍ରାଲ କରୁଛନ୍ତି । ଜଣେ ୟୁଜର ବିଲ୍‌ରେ ଦିଆଯାଇଥିବା ଟ୍ୟାକ୍ସ ବିଷୟରେ ଉଲ୍ଲେଖ କରି ଲେଖିଛନ୍ତି, ‘୧ କିଲୋ ଜିଲାପିରେ ବି ଏତେ ଟ୍ୟାକ୍ସ ଦେବାକୁ ପଡ଼ିଥାଏ’ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଆରେ ୟାର୍‌ ପେମେଣ୍ଟ ତ କରି ଦେଇଥାଆନ୍ତେ, ତାକୁ ବି ରାହୁଲଙ୍କୁ ଦେବାକୁ ପଡ଼ିବ’ ?

କହି ରଖୁଛୁ ଯେ ହରିୟାଣାରେ ନିର୍ବାଚନ ପ୍ରଚାର ବେଳେ ରାହୁଲ ଗାନ୍ଧି ଗୋହନା ଯାଇଥିଲେ । ସେଠାରେ ସେ ଏକ ଜନସଭାରେ ଲୋକଙ୍କୁ ଗୋହାନର ପ୍ରସିଦ୍ଧ ମାତୁରାମଙ୍କ ଜିଲାପି ବାକ୍ସ ଦେଖାଇଥିଲେ । ରାହୁଲ କହିଥିଲେ ଯେ ଏହାକୁ ପୂରା ଦେଶରେ ବିକ୍ରି କରିବା ଦରକାର ଏବଂ ରପ୍ତାନି ମଧ୍ୟ ହେବା ଉଚିତ୍‌ । ଏହାଦ୍ୱାରା ରୋଜଗାରର ସୁଯୋଗ ସୃଷ୍ଟି ହେବ । ଏହି ମିଠା ଦୋକାନ ଫ୍ୟାକ୍ଟ୍ରିରେ ବଦଳିଯିବ ଏବଂ ଏଠାରେ ୨୦ରୁ ୫୦ ହଜାର ଲୋକ କାମ କରିପାରିବେ । ତେବେ ରାହୁଲ ଗାନ୍ଧିଙ୍କର ଏହି ବୟାନରେ ବିଜେପି ନେତାମାନେ ଖୁବ୍‌ ମଜା ନେଇଥିଲେ ।

ସେପଟେ ହରିୟାଣାରେ କଂଗ୍ରେସର ପରାଜୟ ପରେ ଆମ୍‌ ଆଦ୍‌ମୀ ପାର୍ଟି ଦିଲ୍ଲୀ ନିର୍ବାଚନ ପାଇଁ ଏକ ବଡ଼ ଘୋଷଣା କରିଛି । ଏଏପିର ଜାତୀୟ ପ୍ରବକ୍ତା ପ୍ରିୟଙ୍କା କକ୍କଡ ଆମେ ଦିଲ୍ଲୀ ବିଧାନସଭା ନିର୍ବାଚନ ଏକୁଟିଆ ଲଢ଼ିବୁ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like