ଗୁଜରାଟରେ ପୁଣି ଫୁଟିଲା ପଦ୍ମ, ୨୭ ବର୍ଷର ରେକର୍ଡ଼ ଅତୁଟ ରଖିଲା ବିଜେପି

କେନ୍ୟୁଜ୍(ବ୍ୟୁରୋ): ଗୁଜରାଟରେ ପଦ୍ମ ସୁନାମୀ । ଏଠି ବୃହତ ବିଜୟ ସହ କ୍ରମାଗତ ସପ୍ତମ ଥର ପାଇଁ ସରକାର ଗଢ଼ିବ ବିଜେପି । ବିରୋଧୀଙ୍କୁ ମୂଳପୋଛ କରିଛି ମୋଦି ମ୍ୟାଜିକ୍ । ହାତେଇ ନେଇଛି ଦେଢ଼ ଶହରୁ ଅଧିକ ସିଟ୍ । ଗୁଜରାଟରେ ବିଜେପିର ରେକର୍ଡ ବିଜୟ । ୨୦୦୨ରେ ସର୍ବାଧିକ ୧୨୭ ସିଟ୍ ଆଣିଥିବା ଗୈରିକ ଦଳ । କଂଗ୍ରେସର ୧୯୮୫ ରେକର୍ଡ ବି ଭାଙ୍ଗି ଦେଇଛି ବିଜେପି । ୧୯୮୫ରେ ମାଧବ ସିଂ ସୋଲାଙ୍କିଙ୍କ ନେତୃତ୍ୱରେ ୧୪୯ ସିଟ୍ ପାଇଥିଲା କଂଗ୍ରେସ । ଏଥର ୧୫୦ ଟପି ଏହି ରେକର୍ଡ ଭାଙ୍ଗିଛି ବିଜେପି । ମୁଖ୍ୟମନ୍ତ୍ରୀ ପଦବୀ ବଜାୟ ରଖିବେ ଭୂପେନ୍ଦ୍ର ପଟେଲ । ସେ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ୧ ଲକ୍ଷ ୩୦ ହଜାରରୁ ଅଧିକ ଭୋଟରେ ପ୍ରତିଦ୍ୱନ୍ଦୀଙ୍କୁ ମାତ୍ ଦେଇଛନ୍ତି ଭୂପେନ୍ଦ୍ର ପଟେଲ ।
ଡିସେମ୍ବର ୧୨ ଅର୍ଥାତ ଆସନ୍ତା ସେମାବାର ଦିନ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସାମିଲ ହେବେ ମୋଦି, ଅମିତ ଶାହ। ପ୍ରମୁଖ । ଫାଙ୍କା ପ୍ରତିଶ୍ରୁତି ଦେଇଥିବା ଦଳ ଓ ରାଜନେତାଙ୍କୁ ଗୁଜରାଟବାସୀ ପ୍ରତ୍ୟାଖ୍ୟାନ କରିଥିବା କହିଛନ୍ତି ଅମିତ ଶାହ । ଐତିହାସିକ ବିଜୟ ପରେ ଥ୍ୟାକ୍ ୟୁ ଗୁଜରାଟ କହିଛନ୍ତି ପ୍ରଧାନମନ୍ତ୍ରୀ ।
ଗୁଜରାଟରେ କଂଗ୍ରେସ ପ୍ରତିଯୋଗିତାକୁ ମଧ୍ୟ ଆସିପାରି ନାହିଁ । ୨୦୧୭ରେ ୭୭ ସିଟ୍ ପାଇଥିଲା ଦେଶର ଏହି ସର୍ବ ପୁରାତନ ଦଳ । ଏଥର ପ୍ରାୟ ୬୦ ସିଟ୍ ହାତରୁ ଖସି ଯାଇଛି । ଭାରତ ଯୋଡ଼ୋ ଯାତ୍ରା ଉପରେ ଫୋକସ କଲା କଂଗ୍ରେସ । ଫିକା ପଡ଼ିଲା ଗୁଜରାଟ କ୍ୟାମ୍ପେନ୍ । ତେବେ ମୋଦିଙ୍କ ସହ ତାଳ ଦେଇ ରାଲି ଓ ରୋଡ୍ ସୋ କରିଥିଲେ କେଜ୍ରିଓ୍ଵାଲ । କିନ୍ତୁ ଆପ୍ର ମଧ୍ୟ ଫ୍ଲପ୍ ସୋ । ଦୁଇ ଅଙ୍କ ବି ଛୁଇଁ ପାରିନି ଆମ୍ ଆଦମୀ ପାର୍ଟି । ହାତରେ ଲେଖି ଗ୍ୟାରେଣ୍ଟି ଦେଇଥିଲେ କେଜ୍ରିଓ୍ଵାଲ । ଗ୍ୟାରେଣ୍ଟି କୁଆଡେ ଗଲା ବୋଲି ଏବେ ପଚାରୁଛି ବିଜେପି । ଗୁଜରାଟରେ ଧମାକାଦାର ଏଣ୍ଟ୍ରି ଆଶା ରଖିଥିଲେ କେଜ୍ରିଓ୍ଵାଲ । ଅନ୍ୟପଟେ ଗୁଜରାଟରେ ନିଜ ଅବସ୍ଥା ପାଇଁ ଅସାଉଦ୍ଦିନ ଓେଓ୍ଵସୀ ଓ କେଜ୍ରିଓ୍ଵାଲଙ୍କୁ ଦାୟୀ କରିଛି କଂଗ୍ରେସ। ଏହି ଦୁଇ ଜଣଙ୍କ ପାଇଁ କଂଗ୍ରେସ ଭୋଟ କମିଥିବା କହିଛନ୍ତି ଗୁଜରାଟ ପିସିସି ମୁଖ୍ୟ।
ଗୁଜରାଟରେ ୨୭ ବର୍ଷ ଧରି କ୍ଷମତାରେ ରହିଛି ବିଜେପି । ଶାସନ ଅବଧି ଯେତିକି ବଢ଼ୁଛି ସେତିକି ଚମକୁଛି ଦଳ । ପୁଣି ଥରେ ବିଜେପି ଓ ମୋଦିଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଗୁଜରାଟ ।