ପାକିସ୍ତାନୀ ସେନା ଉପରେ ବଲୁଚିସ୍ତାନରେ ବଡ଼ ଆକ୍ରମଣ, ରାତି ସାରା ଗୁଳି ବିନିମୟ, ୧୭ ସୈନିକ ମୃତ

ପାକିସ୍ତାନୀ ସେନା ଉପରେ ବଲୁଚିସ୍ତାନରେ ହୋଇଛି ବଡ଼ ଆକ୍ରମଣ । ପାକିସ୍ତାନର ବଲୁଚିସ୍ତାନରେ ବିଚ୍ଛିନ୍ନତାବାଦୀମାନେ ପାକିସ୍ତାନୀ ସେନା ଉପରେ ବଡ଼ ଆକ୍ରମଣ କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ ୧୭ ଜଣ ସୈନିକ ପ୍ରାଣ ହରାଇଛନ୍ତି ।

ପାକିସ୍ତାନୀ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ ବଲୁଚିସ୍ତାନର କଲାତ ଜିଲ୍ଲା ମଙ୍ଗୋଚର ଅଞ୍ଚଳରେ ସୀମାନ୍ତ କର୍ପସ୍ କ୍ୟାମ୍ପ୍ ଉପରେ ଏକ ସଶସ୍ତ୍ର ଗୋଷ୍ଠୀ ଆକ୍ରମଣ କରିଥିଲା । ଏହା ବ୍ୟତୀତ ଉଗ୍ରବାଦୀମାନେ କ୍ୱେଟା-କରାଚି ରାଜପଥକୁ କବଜା କରି ସେଠାରେ ପାକିସ୍ତାନୀ ସେନା ଗାଡ଼ିକୁ ଟାର୍ଗେଟ କରିଥିଲେ ।

ଗତ ରାତିରେ ହୋଇଥିବା ଏହି ଆକ୍ରମଣରେ ଏ ପର୍ଯ୍ୟନ୍ତ ୧୭ ଜଣଙ୍କ ମୃତ୍ୟୁ ଏବଂ ୩ ଜଣ ଆହତ ହୋଇଛନ୍ତି । କୁହାଯାଇଛି ଯେ ରାଜପଥରେ ଏକ ଗାଡ଼ି ଉପରେ ହୋଇଥିବା ଆକ୍ରମଣରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ଗାଡ଼ି ପାକିସ୍ତାନୀ ସେନାର ବୋଲି ଜଣାପଡ଼ିଛି । ବାଲୁଚ ବିଚ୍ଛିନ୍ନତାବାଦୀମାନେ ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ ଏବଂ ରାତିସାରା ଗୁଳି ବିନିମୟ ଜାରି ରହିଥିଲା ।

ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ୪ ଜଣ ଉଗ୍ରବାଦୀଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଏବେ ଗୁଳି ବିନିମୟ ବନ୍ଦ ହୋଇଯାଇଛି । ଖାଲିକ୍ ଆବାଦରେ ବସ୍‌ ଉପରକୁ ଗୁଳି ଚଳାଯିବା ସହିତ କଲାତରେ ଆସିଷ୍ଟାଣ୍ଟ କମିଶନରଙ୍କ ବାସଭବନ ଉପରେ ମଧ୍ୟ ଆକ୍ରମଣ ହୋଇଛି । ଏହି ସମୟରେ ଖୈବର ପଖତୁନଖୱାରେ ପାଞ୍ଚଟି ପୃଥକ୍ ଅପରେସନରେ ୧୦ ଜଣ ଉଗ୍ରବାଦୀଙ୍କୁ ମରାଯାଇଥିବା ପାକିସ୍ତାନୀ ସେନା କହିଛି ।

ଏହା ମଧ୍ୟ ପଢ଼ନ୍ତୁ: ପାକିସ୍ତାନ : ଏଲପିଜି ଗ୍ୟାସ୍ ଟ୍ୟାଙ୍କର ବିସ୍ଫୋରଣ, ୬ ମୃତ, ୩୧ ଆହତ