ରାଷ୍ଟ୍ରପତି ମୁଇଜ୍ଜୁଙ୍କ ଉପରେ ହେଲା ଗୁଣି ଗାରେଡ଼ି, ଦୁଇ ଜଣଙ୍କୁ ଗିରଫ କଲା ମାଲଦ୍ୱୀପ ପୋଲିସ

ମାଲଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ଉପରେ ପ୍ରୟୋଗ ହୋଇଛି “ଗୁଣି ଗାରେଡ଼ି” । ଏଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏଭଳି ଘଟଣା ପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରି ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାକୁ ମାଲଦ୍ୱୀପ ପୋଲିସ ଗୁରୁତର ସହ ନେଇଛି । ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ଉପରେ ଗୁଣି ଗାରେଡ଼ି ହୋଇଥିବା କଥା ଆପଣଙ୍କୁ ହୁଏତ ବିଶ୍ୱାସ ହେଉ ନଥିବ । କିନ୍ତୁ ତାଙ୍କ କ୍ୟାବିନେଟର ଦୁଇଜଣ ମନ୍ତ୍ରୀ ଏଭଳି କିଛି କରିଛନ୍ତି ଏବଂ ସେମାନଙ୍କୁ ଗିରଫ କରାଯାଇଛି ।

ମହମ୍ମଦ ମୁଇଜ୍ଜୁଙ୍କ ଉପରେ ଗୁଣି ଗାରେଡ଼ି ହୋଇଥିବା ଜାଣିବା ପରେ ପୋଲିସ ପରିବେଶ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଶାମନାଜ ସଲିମ ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଶମନାଜଙ୍କୁ ଅନ୍ୟ ଦୁଇ ଜଣଙ୍କ ସହିତ ରବିବାର ଦିନ ଗିରଫ କରାଯାଇଥିଲା । ଏହି ତିନିଜଣଙ୍କୁ ସାତ ଦିନ ପାଇଁ ଜେଲକୁ ପଠାଯାଇଛି । ପରିବେଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବୁଧବାର ଦିନ ଏମାନଙ୍କୁ ତାଙ୍କ ପଦରୁ ନିଲମ୍ବିତ କରାଯାଇଛି । ଗୁଣି ଗାରେଡ଼ି ଘଟଣା ସାମ୍ନାକୁ ଆସିବା ପରେ ମହମ୍ମଦ ମୁଇଜ୍ଜୁଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ।

ଏମାନଙ୍କୁ ଗିରଫ କରିବା ପୂର୍ବରୁ ପୋଲିସ ଏମାନଙ୍କ ଘରେ ଚଢ଼ାଉ କରିଥିବା ସୂଚନା ରହିଛି । ସେମାନଙ୍କୁ ଘର ଭିତରୁ ଯେଉଁ ସବୁ ଜିନିଷ ବାହାରିଥିଲା ତାହା ଗୁଣି ଗାରେଡ଼ି ପାଇଁ ବ୍ୟବହାର ହୋଇଥିବା କୁହାଯାଉଛି । ଏଭଳି ଅନ୍ଧବିଶ୍ୱାସକୁ ପ୍ରଶୟ ଦେବା ଆମ ଉଦ୍ଦେଶ୍ୟ ନୁହେଁ । କିନ୍ତୁ ସମାଜରେ ଘଟୁଥିବା ସମସ୍ତ ଖବର ବିଷୟରେ ଜଣାଇବା ହିଁ ଆମର ଲକ୍ଷ୍ୟ ।