ମୁମ୍ବାଇରେ ହିଟ୍‌ ଆଣ୍ଡ ରନ୍‌: ମତ୍ସ୍ୟଜୀବୀ ଦମ୍ପତିଙ୍କୁ ଧକ୍କା ଦେଲା BMW; ମହିଳା ମୃତ, ସ୍ୱାମୀ ଗୁରୁତର

ମୁମ୍ବାଇରେ ରବିବାର ସକାଳେ ଏକ ହିଟ୍‌ ଆଣ୍ଡ ରନ୍‌ ଘଟଣା ସାମ୍ନାକୁ ଆସିଛି । ଏଠାରେ ଓ୍ଵର୍ଲି ଅଞ୍ଚଳରେ ଏଟ୍ରିଆ ମଲ୍‌ ନିକଟରେ ଏକ ଦ୍ରୁତଗାମୀ ବିଏମ୍‌ଡବ୍ଲ୍ୟୁ ସ୍କୁଟିରେ ଯାଉଥିବା ଜଣେ ମତ୍ସ୍ୟଜୀବୀ ଦମ୍ପତିଙ୍କୁ ପଛପଟୁ ଧକ୍କା ଦେଇଛି । ଏଥିରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ କାର୍‌ ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି ।

ଖବର ପାଇ ପୋଲିସ ପହଞ୍ଚି କାର୍‌ ଜବତ କରିବା ସହ ଏ ନେଇ ମାମଲା ପଞ୍ଜିକୃତ କରିଛି । ଏହି ଦୁର୍ଘଟଣା ରବିବାର ସକାଳ ସାଢ଼େ ୫ଟା ସମୟରେ ଘଟିଥିବା କୁହାଯାଉଛି । ମତ୍ସ୍ୟଜୀବୀ ଦମ୍ପତି ନିଜ ସ୍କୁଟିରେ ବସି ମାଛ ଆଣିବା ପାଇଁ ସସୁନ୍‌ ଡକ୍‌ ଯାଉଥିଲେ । ଯେତେବେଳେ ସେମାନେ ଏଟ୍ରିଆ ମଲ୍‌ ସମ୍ମୁଖରେ ପହଞ୍ଚିଥିଲେ, ପଛପଟୁ ଦ୍ରୁତଗତିରେ ଆସୁଥିବା ବିଏମ୍‌ଡବ୍ଲ୍ୟୁ କାର୍‌ ସେମାନଙ୍କୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ପରେ ଉପସ୍ଥିତ ଲୋକେ ଦମ୍ପତିଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି । ପୋଲିସ ମୁତାବକ, ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର ଆଧାରରେ ମାଲିକଙ୍କୁ ଚିହ୍ନଟ କରାଯାଇଛି । ଏହି ଗାଡ଼ି ଶିବସେନା ସିନ୍ଦେ ଦଳର ଜଣେ ନେତାଙ୍କର ବୋଲି ଜଣାପଡ଼ିଛି । ପୋଲିସ ତାଙ୍କୁ ନୋଟିସ୍‌ ଜାରି କରି ଥାନାକୁ ଡକାଇଛି ।

ସୂଚନା ମୁତାବକ, ବିଏମ୍‌ଡବ୍ଲ୍ୟୁ କାର୍‌ ଦମ୍ପତିଙ୍କୁ ଧକ୍କା ମାରିବା ବେଳେ ସ୍ୱାମୀ ଜଣକ ସଙ୍ଗେ ସଙ୍ଗେ ସ୍କୁଟିରୁ ଡେଇଁ ପଡ଼ିଥିଲେ । କିନ୍ତୁ ମହିଳା ଜଣକ ଗାଡ଼ିରୁ ଡେଇଁପାରି ନ ଥିଲେ ଏବଂ ସେ କାର୍‌ର ବନେଟ୍‌ ଉପରେ ପଡ଼ିଯାଇଥିଲେ । କାର୍‌ ଚାଳକ ଦୁର୍ଘଟଣା ପରେ କାର୍‌କୁ ଅଟକାଇ ନ ଥିଲେ । ମହିଳାଙ୍କୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ସେ ଘୋଷାଡ଼ି ନେଇଥିଲେ । ପରେ ମହିଳା ରାସ୍ତା ଉପରେ ପଡ଼ିଯାଇଥିଲେ । ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି । ଏ ନେଇ ୨ ଜଣଙ୍କ ନାଁରେ ମାମଲା ରୁୁଜୁ କରାଯାଇଛି । ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।

You might also like