କ୍ଷମତାଠାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ଡଙ୍ଗା ଓଲଟିଲା, ବୁଡ଼ିଗଲେ ୧୦୦ରୁ ଅଧିକ ଲୋକ, ଏବେ ସୁଦ୍ଧା ୫୧ ମୃତଦେହ ଉଦ୍ଧାର

ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଏକ ଡଙ୍ଗା ବୁଡ଼ି ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୬୦ଜଣ ନିଖୋଜ ଅଛନ୍ତି। ଏହି ଦୁର୍ଘଟଣା କଙ୍ଗୋ ନଦୀରେ ଘଟିଛି। ଉତ୍ତର-ପଶ୍ଚିମ ରାଜ୍ୟ ମୋଙ୍ଗାଲାର ରାଜ୍ୟପାଳଙ୍କ ମୁଖପାତ୍ର ନେଷ୍ଟର ମାଗବାଡୋ କହିଛନ୍ତି ଯେ ଏବେ ସୁଦ୍ଧା ୫୧ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୩୯ଜଣଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ମାଗବାଡୋ କହିଛନ୍ତି, ଡଙ୍ଗାରେ ଯାତ୍ରୀମାନେ ଚଢ଼ିବା ପୂର୍ବରୁ ଗଣନା କରାଯାଇ ନ ଥିଲା। ଏଭଳି ପରିସ୍ଥିତିରେ ଡଙ୍ଗାର ବସିବା କ୍ଷମତାକୁ ଦେଖି ନିଖୋଜ ଲୋକଙ୍କ ସଂଖ୍ୟା ଆକଳନ କରାଯାଉଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ଆଶା କରୁଛୁ କି, ଯଥାସମ୍ଭବ ଲୋକଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ପାରୁ। ମାଗବାଡୋଙ୍କ କହିବା ହେଲା, ରାତିରେ ଖରାପ ପାଗ ଯୋଗୁ କିମ୍ବା ଅଧିକ ଜନଗହଳିପୂର୍ଣ୍ଣ ଯୋଗୁ ଏହି ଦୁର୍ଘଟଣା ଘଟି ଥାଇପାରେ। ମୃତକଙ୍କ ପାଇଁ ରାଜ୍ୟ ଅଧିକାରୀମାନେ ତିନିଦିନିଆ ଶୋକ ଘୋଷଣା କରିଛନ୍ତି।

ବାରମ୍ବାର ଡଙ୍ଗା ବୁଡ଼ି ଘଟଣା

କଙ୍ଗୋରେ ବାରମ୍ବାର ଡଙ୍ଗା ଦୁର୍ଘଟଣା ଘଟୁଛି। କାରଣ, ସେମାନେ ଡଙ୍ଗାରେ କ୍ଷମତାଠାରୁ ପ୍ରାୟତଃ ଅଧିକ ଯାତ୍ରୀ ପରିବହନ କରିଥାଆନ୍ତି। ଆହୁରି ମଧ୍ୟ, ଅଧିକାଂଶ ଲୋକ ଯାତ୍ରା ସମୟରେ ଲାଇଫ୍ ଜ୍ୟାକେଟ୍ ପିନ୍ଧନ୍ତି ନାହିଁ । ଚଳିତ ବର୍ଷ ଫେବୃଆରୀରେ ମାଇ-ନଡୋମ୍ବେ ପ୍ରଦେଶରେ କଙ୍ଗୋ ନଦୀରେ ଏକ ଡଙ୍ଗା ବୁଡ଼ି ଯାଇଥିଲା, ଯେଉଁଥିରେ ୬୦ଜଣଙ୍କ ମୃତ୍ୟୁ ଘଟିଥିଲା। ଡଙ୍ଗାରେ ୭୦୦ରୁ ଅଧିକ ଯାତ୍ରୀ ଥିଲେ। ଅନୁସନ୍ଧାନରୁ ଜଣାପଡ଼ିଥିଲା କି, କ୍ଷମତାଠାରୁ ଅଧିକ ଯାତ୍ରୀ ଡଙ୍ଗାରେ ଥିବାରୁ ଏହି ଦୁର୍ଘଟଣା ଘଟିଥିଲା।

୨୦୧୦ରେ ୧୩୫ ଜଣଙ୍କ ମୃତ୍ୟୁ ଘଟିଥିଲା

ଜାନୁଆରୀ ୨୦୨୧ରେ କିଭୁ ହ୍ରଦରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ିଯିବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଦୁଇଜଣ ଶିଶୁ ଏବଂ ଜଣେ ମହିଳା ଅନ୍ତର୍ଭୁକ୍ତ ଥିଲେ। ୨୦୨୦ ମେ’ରେ ସେହି କିଭୁ ହ୍ରଦରେ ଏକ ଡଙ୍ଗା ବୁଡ଼ି ୮ ବର୍ଷର ବାଳିକାଙ୍କ ସମେତ ୧୦ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପୂର୍ବରୁ ୨୦୧୦ ଜୁଲାଇରେ ପଶ୍ଚିମ ବାନ୍ଦୁଣ୍ଡୁ ପ୍ରଦେଶରେ ଏକ ଡଙ୍ଗା ବୁଡ଼ି ୧୩୫ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

Leave A Reply

Your email address will not be published.