ବନ୍ୟା ପ୍ରପୀଡିତଙ୍କୁ ନେଇ ଯାଉଥିବା NDRF ଡଙ୍ଗା ଓଲଟିଲା, ୩ ଶିଶୁ ନିଖୋଜ

ଆସାମର ହୋଜଇ ଜିଲ୍ଲାରେ ବନ୍ୟା ପ୍ରପୀଡିତକୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟିବା କାରଣରୁ ୩ ଜଣ ପିଲା ନିଖୋଜ ରହିଛନ୍ତି । ଏହି ଡଙ୍ଗାରେ ୨୪ ଲୋକ ରହିଥିଲେ। ବାକି ୩ ଜଣ ଶିଶୁଙ୍କୁ ଛାଡି ଅନ୍ୟ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି। ୨୪ ଗ୍ରାମୀଣକୁ ଧରି ଶୁକ୍ରବାର ରାତିରେ ଏକ ଡଙ୍ଗା ସୁରକ୍ଷିତ ସ୍ଥାନକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନାଯୋଗ୍ୟ, ଶୁକବ୍ରାର ରାତିରେ ୨୪ ଜଣଙ୍କୁ ଏକ ଡଙ୍ଗାରେ ସୁରକ୍ଷିତ ସ୍ଥାନକୁ ନିଆଯାଉଥିଲା। ରାୟକୋଟା ଅଞ୍ଚଳରେ ଡଙ୍ଗା ପାଣିରେ ଭରିବା ଯୋଗୁଁ ଓଲଟି ପଡିଥିଲା। ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍‌ ୨୧ ଲୋକଙ୍କୁ ପାଣିରୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ୩ଟି ପିଲା ନିଖୋଜ ରହିଛନ୍ତି। ସେମାନଙ୍କୁ ଖୋଜୁଛି ଟିମ୍‌।

କୋପିଲ ନଦୀରେ ବନ୍ୟା ଆସିବା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଥିଲା। ଏହି ବନ୍ୟାରେ ୫୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ଆସାମରେ ୨୮ ଜିଲ୍ଲାରେ ଚଳିତବର୍ଷ ୧୮.୯୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ବନ୍ୟା ଏବଂ ଭୂସଳ୍ଖନ ଯୋଗୁଁ ରାଜ୍ୟରେ ଏପର୍ଯ୍ୟନ୍ତ ୫୫ ଲୋକଙ୍କ ମୃତ୍ୟୁ ହୋଇସାରିଛି।

ପୂର୍ବୋତ୍ତର କ୍ଷେତ୍ରରେ ଜାରି ବର୍ଷା ଆସାମ ଓ ମେଘାଳୟରେ ବିତ୍ପାତ ରଚିଛି। ନଦୀମାନଙ୍କରେ ଜଳସ୍ତର ବୃଦ୍ଧି ଯୋଗୁ ଶହଶହ ଗାଁ ପାଣି ଘେରରେ ଫଶିଛନ୍ତି। ବର୍ଷା ଓ ବନ୍ୟାରେ ଲୋକଙ୍କ ସ୍ୱଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଜାରି ବର୍ଷା ଯୋଗୁ ସହରାଞ୍ଚଳର ତଳି ଅଞ୍ଚଳ ପାଣିରେ ବୁଡି ଯାଇଛି। ଜାରି ମୁଶଳଧାର ବର୍ଷା ଯୋଗୁ ଆସାମର ୨୫ ଜିଲ୍ଲା ପ୍ରଭାବିତ ହୋଇଛି। ଏଥିରେ ନବଗଠିତ ବାଜାଲୀ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି।

ଅଧିକାରୀଙ୍କ ସୂଚନା ଅନୁସାରେ ମାନସ, ପଗଲାଡିଆ, ପୁଥିମାରୀ, କୋପିଲି, ଗୌରାଙ୍ଗ ଓ ବ୍ରହ୍ମପୁତ୍ର ନଦୀର ଜଳସ୍ତର ଅନେକ ସ୍ଥାନରେ ବିପଦ ସଂକେତ ଉପରେ ବହୁଛି। ବନ୍ୟା ପାଣି ପ୍ରଭାବିତ ଜିଲ୍ଲାଙ୍କ ୧୯୭୮୨.୮୦ ହେକ୍ଟର ଜମିରେ ଫସଲ ଓ ଭୂମିକୁ ଜଳମଗ୍ନ କରି ରଖିଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୭୨ ରାଜସ୍ୱ ମଣ୍ଡଳ ଅନ୍ତର୍ଗତ ୧ହଜାର ୫୧୦ଟି ଗ୍ରାମ ଜଳମଗ୍ନ ହୋଇଯାଇଛି। ପ୍ରଭାବିତ ଜିଲ୍ଲାମାନଙ୍କରେ ପ୍ରଶାସନ ଲୋକଙ୍କୁ ସେମାନଙ୍କ ଘରେ ରହିବାକୁ ନିବେଦନ କରିଛନ୍ତି। ସେପରି କୌଣସି ପରିସ୍ଥିତି ନ ପଡିଲେ ଲୋକଙ୍କୁ ବାହାରକୁ ବାହାରିବାକୁ ମନା କରାଯାଇଛି।