ବଦଳିଲା ବିଏମ୍‌ଆଇ ନିୟମ, ମହିଳାଙ୍କ ପାଇଁ ୫୫ କେଜି ଓ ପୁରୁଷଙ୍କ ପାଇଁ ୬୫କେଜି ହେଲା ଆଦର୍ଶ ଓଜନ

ଦେଶରେ ବଦଳିଗଲା ବିଏମ୍‌ଆଇ ବା ବଡି ମାସ୍‌ ଇନ୍‌ଡେକ୍ସ। ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁଟ୍ରିସନ୍‌ ଦେଶରେ ମହିଳା ଓ ପୁରୁଷଙ୍କ ପାଇଁ ଆଦର୍ଶ ଓଜନରେ ଅଳ୍ପ ପରିବର୍ତ୍ତନ କରିଛି। ଏବେ ନୂଆ ନିୟମ ମୁତାବକ ଉଭୟଙ୍କ ପାଇଁ ଆଦର୍ଶ ଓଜନକୁ ୫ କେଜି ବୃଦ୍ଧି କରାଯାଇଛି।

ଦଶ ବର୍ଷ ପୂର୍ବରୁ ପୁରୁଷଙ୍କ ଆଦର୍ଶ ଓଜନ ୬୦ କେଜି ଥିଲା। ଏବେ ଏହାକୁ ବଢ଼ାଇ ୬୫ କେଜି କରିଦିଆଯାଇଛି। ସେହିପରି ମହିଳାଙ୍କ ପାଇଁ ଆଦର୍ଶ ଓଜନକୁ ମଧ୍ୟ ୫ କେଜି ବୃଦ୍ଧି କରାଯାଇଛି। ଆଗରୁ ମହିଳାଙ୍କ ଆଦର୍ଶ ଓଜନ ୫୦ କେଜି ଥିବା ବେଳେ ଏବେ ଏହାକୁ ୫୫ କେଜି କରି ଦିଆଯାଇଛି।

କେବଳ ଓଜନ ନୁହେଁ ଉଚ୍ଚତାରେ ବି କେତେକ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପୁରୁଷଙ୍କ ଆଦର୍ଶ ଉଚ୍ଚତା ୫ ଫୁଟ ୬ ଇଞ୍ଚ(୧୭୧ ସେମି) ଓ ମହିଳାଙ୍କର ୫ ଫୁଟ(୧୫୨ ସେମି) ଥିଲା। କିନ୍ତୁ ଏବେ ଏହାକୁ ବଢ଼ାଇ ଦିଆଯାଇଛି। ଏବେ ପୁରୁଷଙ୍କ ଆଦର୍ଶ ଉଚ୍ଚତା ୫ ଫୁଟ ୮ ଇଞ୍ଚ୍‌(୧୭୭ ସେମି) ଓ ମହିଳାଙ୍କ ଆଦର୍ଶ ଉଚ୍ଚତା ୫ ଫୁଟ୍‌ ୩ ଇଞ୍ଚ(୧୬୨ ସେମି) ହୋଇଛି। ସୋମବାର ଦିନ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁଟ୍ରିସନ୍‌ ତରଫରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ଭାରତରେ ମହିଳା ଓ ପୁରୁଷଙ୍କ ଖାଦ୍ୟରେ ପରିବର୍ତ୍ତନ ଘଟିଥିବାରୁ ବିଏମ୍‌ଆଇକୁ ବଢ଼ାଇ ଦିଆଯାଇଛି।