ଅନଲାଇନ ପାର୍ସଲରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ତଦନ୍ତ କରୁଛି ପୋଲିସ
ଜଣେ ମହିଳା ଘର ତିଆରି ପାଇଁ ଅର୍ଡର କରିଥିଲେ ଇଲେକ୍ଟ୍ରାନିକ୍ସ ଆଇଟମ । ହେଲେ ପାର୍ସଲରୁ ବାହାରିଲା ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ । ଏଭଳି ଛାତି ଥରାଇବା ପରି ଖବର ଆସିଛି ଆନ୍ଧ୍ରପ୍ରଦେଶର ୱେଷ୍ଟ ଗୋଦାବରୀ ଜିଲ୍ଲାରୁ । ନାଗା ତୁଲସୀ ନାମକ ଜଣେ ମହିଳା ଘର ତିଆରି ପାଇଁ କ୍ଷତ୍ରୀୟ ସେବା ସମିତି ନାମକ ଏକ ସଂସ୍ଥାଠାରୁ ଆର୍ଥିକ ସହାୟତା ଲୋଡିଥିଲେ । ଏଥିପାଇଁ ଉକ୍ତ ସଂସ୍ଥା ମହିଳାଙ୍କୁ ଟାଇଲ୍ସ ପଠାଇଥିଲେ । ଏହା ପରେ ଅଧିକ ସହାୟତା ପାଇଁ ଇଲେକ୍ଟ୍ରାନିକ୍ସ ଆଇଟମ୍ ପାଇଁ ଆବେଦନ କରିଥିଲେ ମହିଳା । ତେବେ ଗୁରୁବାର ରାତିରେ ପାର୍ସଲ ନେଇ ମହିଳାଙ୍କ ନିକଟରେ ପହଞ୍ଚିଥିଲେ ଜଣେ ବ୍ୟକ୍ତି । ଡେଲିଭରି ବଏ ମହିଳାଙ୍କୁ ପାର୍ସଲ ଦେଇ ସେଥିରେ ଇଲେକ୍ଟ୍ରୋନିକ୍ସ ଜିନିଷ ଥିବା କହି ମହିଳାଙ୍କ ଘରୁ ପଳାଇଥିଲେ । କିଛି ସମୟ ପରେ ମହିଳା ପାର୍ସଲ ଖୋଲି ଦେଖନ୍ତି ତ ତାଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା । କାହିଁକି ନା ପାର୍ସଲ ଭିତରେ ଥିଲା ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ । ଏହା ସହ ପାର୍ସଲ ଭିତରେ ଏକ ଚିଠି ମଧ୍ୟ ଥିଲା । ଯେଉଁଥିରେ ଏକ କୋଟି ୩୦ ଲକ୍ଷ ଦାବି କରାଯାଇଥିଲା । ଦାବି ଟଙ୍କା ନଦେଲେ ପରିବାର ଲୋକଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ବୋଲି ଚିଠିରେ ଧମକ ଦିଆଯାଇଥିଲା । ଏଭଳି ଘଟଣା ପରେ ତୁଳସୀ ଓ ତାଙ୍କ ପରିବାର ଭୟଭୀତ ଅଛନ୍ତି ।
ଜିଲ୍ଲା ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ ମହିଳାଙ୍କ ଘରେ ପହଞ୍ଚିଥିଲା । ମୃତଦେହକୁ ସରକାରୀ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଜିଲ୍ଲା ପୋଲିସ ଅଧୀକ୍ଷକ ଅଦନାନ୍ ନଇମ୍ ଅସମି ମଧ୍ୟ ଉକ୍ତ ଗାଁରେ ବୁଲି ବୁଲି ଘଟଣାର ତଦନ୍ତ କରିଛନ୍ତି । ପାର୍ସଲ ଡେଲିଭର୍ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା କରୁଛି । ପ୍ରାଥମିକ ତଦନ୍ତରୁ ମୃତଦେହ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କର ବୋଲି ଜଣାପଡିଛି । ୪-୫ ଦିନ ପୂର୍ବରୁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ଏହା ସହ ଅଧିକ ତଦନ୍ତ କରୁଛି ପୋଲିସ ।
ତେବେ ପୋଲିସ୍ ପଚରା ଉଚରା ବେଳେ ଜଣାପଡ଼ିଛି ଯେ ତୁଳସୀଙ୍କ ସ୍ବାମୀ ୧୦ ବର୍ଷ ହେଲା ନିଖୋଜ ଅଛନ୍ତି । ତାଙ୍କର କୌଣସି ପତ୍ତା ମିଳି ନାହିଁ । ଏହାପରେ ସେ ନିଜ ବାପ ଘରେ ରହୁଥିଲେ । ତେବେ ତାଙ୍କ ସାନ ଭଉଣୀ ଆସିବା ପରେ ସେ ନିଜ ବାପ ଘର ନିକଟରେ ଏକ ଭଡ଼ାଘର ନେଇ ରହିବାକୁ ଲାଗିଲେ । ପରେ ସେଠାର ପ୍ରାୟ ୧ କିଲୋମିଟର ଦୂରରେ ଗୋଟିଏ ଜାଗାରେ ନିଜର ନୂଆ ଘର ଆରମ୍ଭ କରିଥିଲେ । ଘର ତିଆରି ପାଇଁ ତାଙ୍କୁ ଜଣେ ବଦାନ୍ୟ ବ୍ୟକ୍ତି ସହାୟତା କରୁଥିଲେ । ସେହି ଭଲ କ୍ବାଲିଟିର ଟାଇଲ୍ ଏବଂ ଘର ନିର୍ମାଣ ସାମଗ୍ରୀ ତୁଳସୀଙ୍କୁ ପଠାଉଥିଲେ । ତୁଳସୀଙ୍କ କହିବା ଅନୁସାରେ ସେହି ଅଜଣା ବଦାନ୍ୟ ବ୍ୟକ୍ତି ତାଙ୍କୁ କହିଥିଲେ ଯେ ଆମେ ସମାନ ଜାତିର ଏବଂ ଜଣେ ବିଧବା ହୋଇଥିବାରୁ ମୁଁ ତୁମକୁ ସାହାଯ୍ୟ କରୁଛି । ସେପଟେ ପୋଲିସ୍ ସମ୍ପତ୍ତି ବିବାଦ ସହ ବିଭିନ୍ନ ଦିଗକୁ ବିଚାର କରି ତଦନ୍ତ ଚଳାଇଛି । ଏହା ସହିତ ଗତ ତିନି ଚାରି ଦିନ ଭିତରେ ନିଖୋଜ ଥିବା ବ୍ୟକ୍ତିଙ୍କ ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରୁଛି । ଏହା ଭିତରେ ତୁଳସୀଙ୍କ ପରିବାରର ସବା ସାନ ଜ୍ବାଇଁ ତିନି ଦିନ ହେଲା ନିଖୋଜ ଥିବା ମଧ୍ୟ ପୋଲିସ୍ ଜାଣିବାକୁ ପାଇଛି ।
ବର୍ତ୍ତମାନ ଅନଲାଇନ୍ ସୁବିଧା ଥିବାରୁ ଲୋକେ ଡ୍ରେସ୍ ଠାରୁ ଆରମ୍ଭ କରି ଘରର ସମସ୍ତ ଆସବାବପତ୍ରକୁ ମଗାଉଛନ୍ତି । କିନ୍ତୁ ଏମିତି ଅନଲାଇନ ପାର୍ସଲରୁ ଯଦି ମୃତଦେହ ବାହାରେ ତେବେ ଆପଣ ଭୟ କରିବା ସ୍ବାଭାବିକ । ତେବେ ଜିନିଷ ଡେଲିଭର କରିଥିବା ବ୍ୟକ୍ତିକୁ ଧରାଗଲେ ହିଁ ଅସଲ ଘଟଣା ପଦାକୁ ଆସିବ ।