ପ୍ରୟାଗରାଜ : ମହାକୁମ୍ଭରେ ବୁଡ଼ ପକାଇ ଫେରୁଥିବାବେଳେ ଚାଲିଗଲା ୧୦ ଜୀବନ, ୧୯ ଆହତ

ୟୁପି ପ୍ରୟାଗରାଜରେ ଭୟଙ୍କର ସଡକ ଦୁର୍ଘଟଣା । ମହାକୁମ୍ଭରେ ବୁଡ ପକାଇବାକୁ ଯିବା ବାଟରେ ବୋଲେରୋକୁ ଧକ୍କା ଦେଲା ବସ୍ । ମିର୍ଜାପୁର-ପ୍ରୟାଗରାଜ ରାଜପଥରେ ଏକ ବସ୍ ସହିତ ବୋଲେରୋ ଧକ୍କା ହେବାରୁ ଅତି କମ୍‌ରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ୧୯ ଜଣ ଯାତ୍ରୀ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ଉଦ୍ଧାର କରିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ।

ଖବର ମୁତାବକ, ଗତକାଲି ବିଳମ୍ବିତ ରାତିରେ ପ୍ରୟାଗରାଜ-ମିର୍ଜାପୁର ହାଇୱେରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମହାକୁମ୍ଭରେ ବୁଡ ପକାଇବାକୁ ସେମାନେ ବୋଲେରୋରେ ପ୍ରୟାଗରାଜ ଆସୁଥିଲେ । ପ୍ରୟାଗରାଜ-ମିର୍ଜାପୁର ହାଇୱେ ହଠାତ୍ ଏକ ଯାତ୍ରୀବାହୀ ବସ୍ ସହିତ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା ।

ଦୁର୍ଘଟଣା ଏତେ ଭୟାନକ ଥିଲା ଯେ, ଘଟଣାସ୍ଥଳରେ ବୋଲେରୋରେ ଥିବା ସମସ୍ତ ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ସେହିପରି ବସରେ ଯାତ୍ରା କରୁଥିବା ୧୯ ଜଣ ଯାତ୍ରୀ ଗୁରୁତର ଅଛନ୍ତି । ଏମାନଙ୍କ ଘର ମଧ୍ୟପ୍ରଦେଶ ରାଜଗଡ ଜିଲ୍ଲାରେ । ସମସ୍ତେ କୁମ୍ଭରେ ବୁଡ ପକାଇ ବାରଣାସୀ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ଘଟିଥିବା ସଡ଼କ ଦୁର୍ଘଟଣାକୁ ନେଇ ଅଧିକାରୀମାନଙ୍କୁ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଆହତମାନଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦୁର୍ଘଟଣା ପରେ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ନିଆଯାଇଛି ।

ସୂଚନାଯୋଗ୍ୟ, ଶ୍ରଦ୍ଧାଳୁ ଭର୍ତ୍ତିଥିବା ବସ୍ ମହାକୁମ୍ଭରୁ ଫେରୁଥିବା ବେଳେ ସକାଳ ୬ଟା ସମୟରେ ଠିଆ ହୋଇଥିବା ବସ୍ ସହିତ ଧକ୍କା ହୋଇଥିଲା । ବସରେ ୫୬ ଜଣ ଯାତ୍ରୀ ରହିଥିଲେ । ବସରେ ମଧ୍ୟପ୍ରଦେଶ ମନ୍ଦସୋରର ଯାତ୍ରୀ ରହିଥିଲେ । ବସ୍ ଧକ୍କା ହେବା ଫଳରେ ୩ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୨ ଜଣ ଆହତ ହୋଇଥିଲେ । ସମସ୍ତେ ମହାକୁମ୍ଭରେ ସ୍ନାନ କରି ମନ୍ଦସୋରକୁ ଫେରୁଥିଲେ । ଦୁର୍ଘଟଣା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ସିମଲିୟା ଅଞ୍ଚଳର କରାଡିଆ ନିକଟରେ ହୋଇଥିଲା ।

Also Read : ମହାକୁମ୍ଭରୁ ଫେରୁଥିଲେ ବାଟରେ ଜଗିଥିଲା ଯମ, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ୨ ଗୁରୁତର