ମଝି ଆକାଶରେ ମିଳିଲା ବୋମା ଧମକ, ଭୟରେ ଥରିଲେ ଏୟାର ଇଣ୍ଡିଆ ଯାତ୍ରୀ

ନୂଆଦିଲ୍ଲୀରୁ ବିଶାଖାପାଟନମ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ । ବିମାନଟି ମଝି ଆକାଶରେ ଥିବା ବେଳେ ବୋମା ଧମକ ଶୁଣିବା ପରେ ଯାତ୍ରୀ ଆତଙ୍କିତ ହୋଇପଡିଥିଲେ । ଏହାପରେ ବିମାନ ବିଶାଖାପାଟନମରେ ଓହ୍ଲାଇବା ପରେ ଯାଞ୍ଚ ହୋଇଥିଲା । ଆଉ ଯାଞ୍ଚରେ ଏହା ଗୁଜବ ବୋଲି ଜଣାପଡିଥିଲା ।

ବିଶାଖାପାଟଣା ଏୟାରପୋର୍ଟ ଡାଇରେକଟର ଏସ୍ ରାଜା ରେଡ୍ଡୀଙ୍କ ସୂଚନା ଅନୁଯାୟୀ, ୧୦୭ ଯାତ୍ରୀଙ୍କୁ ନେଇ ବିମାନଟି ଦିଲ୍ଲୀରୁ ବିଶାଖାପାଟଣା ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା । ବିମାନଟି ମଝି ଆକାଶରେ ଥିବା ବେଳେ ସେଥିରେ ବୋମା ଥିବା ନେଇ ଦିଲ୍ଲୀ ପୋଲିସ ପାଖକୁ ଏକ କଲ୍ ଆସିଥିଲା । ପୋଲିସ ତୁରନ୍ତ ଏହି ଖବର ଏୟାରଲାଇନ୍ସ ଓ ବିଶାଖାପାଟଣା ଏୟାରପୋର୍ଟକୁ ଦେଇଥିଲା ।

ଏହାପରେ ଏୟାରପୋର୍ଟ କର୍ତ୍ତୃପକ୍ଷ ତୁରନ୍ତ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରିଥିଲେ । ସଙ୍ଗେସଙ୍ଗେ ସମସ୍ତ ଯାତ୍ରୀଙ୍କୁ ବାହାର କରି ଯାଞ୍ଚ କରାଯାଇଥିଲା । ମାତ୍ର ବିମାନରୁ କୌଣସି ବୋମା ମିଳି ନ ଥିଲା ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଏୟାର ଇଣ୍ଡିଆ ବିମାନରେ ବୋମା ଧମକ ମିଳିଥିଲା । ଏୟାର ଇଣ୍ଡିଆ ବିମାନ ନଂ. ୬୫୭ ମୁମ୍ବାଇରୁ ଉଡ଼ାଣ ଭରିଥିଲା । ପରେ ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ କେରଳର ଥିରୁବନନ୍ତପୁରମରେ ଏହା ଜରୁରୀ ଅବତରଣ କରିଥିଲା । ଗତ କିଛିଦିନ ତଳେ ମୁମ୍ବାଇରୁ ୧୩୫ ଜଣ ଯାତ୍ରୀ ଏବଂ ଚାଳକ ଦଳକୁ ନେଇ ଉଡାଣ ଭରିଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଧମକ ମିଳିଥିଲା ।  ବିମାନର ଟଏଲେଟରେ ଟିସୁ ପେପରରେ ବୋମା ଥିବା ଧମକ ଲେଖାଯାଇଥିଲା । ତୁରନ୍ତ ବିମାନକୁ ଖାଲି କରାଯାଇ ଯାଞ୍ଚ କରାଯାଇଥିଲା । କିନ୍ତୁ ଏହି ଖବର ମଧ୍ୟ ଗୁଜବ ଥିଲା ।

ଜବଲପୁରରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନ (6E 7308)କୁ ବୋମାରେ ଉଡ଼ାଇ ଦେବାକୁ  ଧମକ ମିଳିଥିଲା ।

You might also like