ଦିଲ୍ଲୀର ଅନେକ ହସ୍ପିଟାଲକୁ ବୋମା ଧମକ, ପୂର୍ବରୁ ସ୍କୁଲଗୁଡ଼ିକୁ ଆସିଥିଲା ଧମକପୂର୍ଣ୍ଣ ଇମେଲ୍‌

ଦିଲ୍ଲୀର ବିଭିନ୍ନ ହସ୍ପିଟାଲକୁ ମିଳିଛି ବୋମା ଧମକ । ଏହାକୁ ନେଇ ଚାରିଆଡ଼େ ଆତଙ୍କର ବାତାବରଣ ଖେଳିଯାଇଛି । ଦିଲ୍ଲୀ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ସେମାନଙ୍କୁ ବିଭିନ୍ନ ହସ୍ପିଟାଲରୁ ବୋମା ଧମକ ନେଇ ଇମେଲ ମିଳିଛି ।

ଦିଲ୍ଲୀର ବିଭିନ୍ନ ହସ୍ପିଟାଲକୁ ମିଳିଛି ବୋମା ଧମକ । ଏହାକୁ ନେଇ ଚାରିଆଡ଼େ ଆତଙ୍କର ବାତାବରଣ ଖେଳିଯାଇଛି । ଦିଲ୍ଲୀ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ସେମାନଙ୍କୁ ବିଭିନ୍ନ ହସ୍ପିଟାଲରୁ ବୋମା ଧମକ ନେଇ ଇମେଲ ମିଳିଛି । ଏହି ହସ୍ପିଟାଲଗୁଡ଼ିକ ମଧ୍ୟରେ ଜିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ (ଜନକପୁରୀ), ହେଡ୍‌ଗେଓ୍ଵାର ହସ୍ପିଟାଲ, ଦୀପଚନ୍ଦ୍ର ବନ୍ଧୁ ହସ୍ପିଟାଲ ଆଦି ଅନ୍ତର୍ଭୁକ୍ତ ରହିଛି । ବୋମା ଧମକର ସୂଚନା ମିଳିବା ପରେ ବର୍ତ୍ତମାନ ଅଗ୍ନିଶମ ବିଭାଗ ସମସ୍ତ କଲ୍ ଯାଞ୍ଚ କରୁଛି ।

ବୁରାଡ଼ି ହସ୍ପିଟାଲ, ସଞ୍ଜୟ ଗାନ୍ଧି ହସ୍ପିଟାଲକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଉଭୟ ହସ୍ପିଟାଲରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ବୋମା ଓ ଡଗ୍‌ ସ୍କ୍ଵାଡ୍‌ ସହାୟତାରେ ପୋଲିସ, ଅଗ୍ନିଶମ ବିଭାଗ ଏବଂ ସିଭିକ୍‌ ଏଜେନ୍ସି ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ । ତେବେ ପରିସରରୁ କୌଣସି ସନ୍ଦେହଜନକ ଜିନିଷ ମିଳି ନ ଥିଲା ।

ଏହା ପୂର୍ବରୁ ଦିଲ୍ଲୀ ବିମାନବନ୍ଦର ଏବଂ ସ୍କୁଲଗୁଡ଼ିକୁ ମଧ୍ୟ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା । ଇମେଲ୍‌ ଜରିଆରେ ଏହି ଧମକ ମିଳିଥିଲା । କିନ୍ତୁ ଖୋଜା ଖୋଜିରେ କୌଣସି ବି ବିସ୍ଫୋରକ ସାମଗ୍ରୀ ମିଳି ନ ଥିଲା । ସୁରକ୍ଷା ବାହିନୀର ସହାୟତାରେ ସମସ୍ତ ବିଦ୍ୟାଳୟକୁ ଖାଲି କରାଯାଇ ପିଲାମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିଲା ।

ଏହା ପରେ ମେଲିଂ ଠିକଣାର ତଦନ୍ତ ଆରମ୍ଭ କରାଯାଇଥିଲା । ଏହି ମାମଲାରେ ପୋଲିସ କୌଣସି ତଥ୍ୟ ପାଇ ନ ଥିଲା । ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଇଣ୍ଟରପୋଲ ସହାୟତାରେ ରୁଷ୍‌ ସହ ଯୋଗାଯୋଗ କରିଛି । କହି ରଖୁଛୁ, ଯେଉଁ ମେଲ୍ ଆଇଡିରୁ ବିଦ୍ୟାଳୟଗୁଡ଼ିକୁ ବୋମା ଧମକ ଦିଆଯାଇଥିଲା, ତାହାର ସର୍ଭର ରୁଷ୍‌ ରାଜଧାନୀ ମସ୍କୋରେ ରହିଛି । ମେଲ୍‌ ପ୍ରେରକଙ୍କ ବିଷୟରେ ସୂଚନା ସଂଗ୍ରହ କରାଯାଉଥିବା ବେଳେ ଏ ପର୍ଯ୍ୟନ୍ତ ତାଙ୍କ ଠିକଣା ଜଣାପଡ଼ି ନାହିଁ ।

You might also like