ଦିଲ୍ଲୀ ଦ୍ବାରିକା କୋର୍ଟକୁ ବୋମା ଗୁଜବ, ଯାଞ୍ଚ ପରେ କିଛି ମିଳିଲା ନାହିଁ

ନୂଆଦିଲ୍ଲୀ : ବୁଧବାର ସକାଳେ ଦିଲ୍ଲୀ ଦ୍ବାରକା କୋର୍ଟରେ ବୋମା ରଖା ଯାଇଥିବାର ଖବର ମିଳିଲା । କୋର୍ଟ ପରିସରରେ ବୋମା ରଖାଯାଇଥିବା ଖବର ପ୍ରଚାର ହେବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଏହା ପରେ କୋର୍ଟ କର୍ତ୍ତୃପକ୍ଷ ସତର୍କତା ଅବଲମ୍ବନ କରିଥିଲେ  । ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟଗୁଡିକୁ ତୁରନ୍ତ ଖାଲି କରି ସମ୍ପୂର୍ଣ୍ଣ କୋର୍ଟ ପରିସରକୁ ସିଲ୍ କରିଦିଆ ଯାଇଥିଲା । ଏହାପରେ ପୋଲିସ୍ ଓ ବମ୍ ସ୍କ୍ବାର୍ଡ଼ ଆସି ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ।

ସୂଚନାନୁଯାୟୀ, ବୁଧବାର ସକାଳ ପ୍ରାୟ ୧୦.୪୫ ବେଳକୁ ଦ୍ବାରକା କୋର୍ଟର ଇମେଲ୍ ଆଇଡିରେ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା । କୋର୍ଟର ଦକ୍ଷିଣ–ପଶ୍ଚିମ ପାର୍ଶ୍ବରେ ବୋମା ରଖାଯାଇଥିବା ଖବର ମେଲରେ ଦିଆ ଯାଇଥିଲା । ଏକଥା ପ୍ରଚାରିତ ହେବା ପରେ କୋର୍ଟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେଣୁ ତୁରନ୍ତ ସମସ୍ତ କୋର୍ଟ କାର୍ଯ୍ୟକୁ ବନ୍ଦ କରି ଦିଆଯାଇ ପରିସରକୁ ତୁରନ୍ତ ଖାଲି କରିଦିଆ ଯାଇଥିଲା । ସୂଚନା ପାଇବା ମାତ୍ରେ ପୋଲିସର ବରିଷ୍ଠ ଅଧିକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳର ଟିକିନିଖି ଯାଞ୍ଚ କରିଥିଲେ । କିନ୍ତୁ ବୋମାର କୌଣସି ସନ୍ଧାନ ମିଳି ପାରି ନଥିଲା ବୋଲି  ପୋଲିସ୍ ସ୍ପଷ୍ଟ କରିଛି ।

ଏହାପରେ ମଧ୍ୟ ପୋଲିସ୍ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ଘଟଣାସ୍ଥଳରେ ଉପୁଜିଥିବା ଉତ୍ତେଜନା ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଆହୁରି ମଧ୍ୟ କୋର୍ଟକୁ ଏଭଳି ମେଲ ପଠାଇଥିବା ବ୍ୟକ୍ତିକୁ ଚିହ୍ନଟ କରିବାର ପ୍ରଚେଷ୍ଟା ଜାରି ରଖିଛି ପୋଲିସ ।

Also Read : ଅଖିଳେଶ ଯାଦବଙ୍କ ପାଇଁ NSG ସୁରକ୍ଷା ଦାବି କରି ଅମିତ ଶାହଙ୍କୁ ଚିଠି ଲେଖିଲା ସମାଜବାଦୀ ପାର୍ଟି