ବମ୍ବେ ହାଇକୋର୍ଟରୁ ଗ୍ୟାଙ୍ଗଷ୍ଟର୍ ଛୋଟା ରାଜନଙ୍କୁ ବଡ଼ ଆଶ୍ଵସ୍ତି । ୨୦୦୧ ଜୟା ସେଟ୍ଟି ହତ୍ୟା ମାମଲାରେ କୋର୍ଟ ବୁଧବାର ତାଙ୍କୁ ଜାମିନ ଦେଇଛନ୍ତି । ହୋଟେଲ ବବସାୟୀ ଜୟା ସେଟ୍ଟିଙ୍କ ହତ୍ୟା ପାଇଁ ଛୋଟା ରାଜନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।
୨୦୨୪ ମେ’ ୩୦ରେ ଏକ ସ୍ଵତନ୍ତ୍ର କୋର୍ଟ ରାଜନଙ୍କୁ ଅନ୍ୟ ଲୋକଙ୍କ ସହ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏବେ ବମ୍ବେ ହାଇକୋର୍ଟ ଆଜୀବନକୁ ରଦ୍ଦ କରି ଦେଇଛନ୍ତି ।
ଜଷ୍ଟିସ୍ ରେବତୀ ମୋହିତେ ଡେରେ ଓ ପୃଥ୍ଵୀରାଜ ଚୌହାନଙ୍କ ଖଣ୍ଡପୀଠ ଛୋଟା ରାଜନଙ୍କ ଜାମିନ୍ ପାଇଁ ୧ ଲକ୍ଷ ଟଙ୍କା ବଣ୍ଡ ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦିଓ ସେ ବର୍ତ୍ତମାନ ଅନ୍ୟ ଅପରାଧିକ ମାମଲାରେ ଜେଲରେ ହିଁ ରହିବେ ।
ଛୋଟା ରାଜନ ଆଜୀବନ କାରାଦଣ୍ଡ ବିରୋଧରେ ବମ୍ବେ ହାଇକୋର୍ଟରେ ଅପିଲ କରିଥିଲେ । ସେ ଦାବି କରିଥିଲେ କି, ଦଣ୍ଡକୁ ରଦ୍ଦ କରାଯାଇ ତାଙ୍କୁ ଅନ୍ତରୀଣ ଜାମିନ୍ ଦିଆଯାଉ ।
ଛୋଟା ରାଜନ ଗୋଷ୍ଠୀରୁ ଧମକ ମିଳିବା ପରେ ହୋଟେଲ ବ୍ୟବସାୟୀଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରାଯାଇଥିଲା । କିନ୍ତୁ ଆକ୍ରମଣର ୨ ମାସ ପୂର୍ବରୁ ଜୟା ସେଟ୍ଟିଙ୍କ ଅନୁରୋଧରେ ତାଙ୍କଠୁ ସୁରକ୍ଷା ଫେରାଇ ନିଆଯାଇଥିଲା ।
ମଧ୍ୟମୁମ୍ବାଇର ଗାମଦେବୀରେ ହୋଟେଲ ମାଲିକ ଜୟା ସେଟ୍ଟିଙ୍କୁ ୨୦୦୧ ମେ’ ୪ରେ ହତ୍ୟା କରାଯାଇଥିଲା । ହୋଟେଲର ପ୍ରଥମ ମହଲାରେ ଛୋଟା ରାଜନଙ୍କ ଗୋଷ୍ଠୀର ୨ ଜଣ ସଦସ୍ୟ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ବର୍ତ୍ତମାନ ଛୋଟା ରାଜନ ଦିଲ୍ଲୀର ହାଇ ସିକ୍ୟୁରିଟି ତିହାରର ଜେଲ ନମ୍ବର ୨ରେ ଅଛନ୍ତି ।