କୁକୁର ପାଇଁ ବୁକ୍‌ କଲେ ପ୍ରାଇଭେଟ୍‌ ଜେଟ୍‌, ଖାସ୍‌ ଏଥିପାଇଁ ମାଲିକ ଖର୍ଚ୍ଚ କରି ଦେଲେ ୨୪ ଲକ୍ଷ ଟଙ୍କା! କହିଲେ, ପଇସା ଗୁରୁତ୍ୱ ରଖେ ନାହିଁ

ଜଣେ ଅଷ୍ଟ୍ରେଲୀୟ ଦମ୍ପତି ନ୍ୟୁଜିଲାଣ୍ଡରେ ଫସି ରହିଥିବା ସେମାନଙ୍କ ପୋଷା କୁକୁରକୁ ଘରକୁ ଆଣିବା ପାଇଁ ଏକ ପ୍ରାଇଭେଟ ଜେଟ୍ ଭଡ଼ାରେ ନେବାକୁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ୨୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଦମ୍ପତିଙ୍କୁ କୁକୁର ପ୍ରତି ଏତେ ଭଲ ପାଇବା ଥିଲା ଯେ ସେମାନେ ତାକୁ ଖ୍ରୀଷ୍ଟମାସ ପୂର୍ବରୁ ଘରକୁ ଆଣିବାକୁ ଚାହୁଁଥିଲେ। ଏହି କୁକୁର ନ୍ୟୁଜିଲାଣ୍ଡରେ ଫସି ଯାଇଥିଲା, ଯିଏକି କୋଭିଡ ନିୟମ ଏବଂ ବିମାନ ବାତିଲ ହେତୁ ନିଜ ମାଲିକଙ୍କ ପାଖକୁ ଅଷ୍ଟ୍ରେଲିଆ ଫେରି ପାରୁ ନ ଥିଲା। ଅନେକ ମାସ ବିତିଯିବା ପରେ କୁକୁରର ମାଲିକାଣୀ ଟ୍ୟାଶ କାର୍ବିନ ନିଜ ଭାବୀ ସ୍ୱାମୀ ଡେଭିଡ ଡେନେସ୍‌ଙ୍କ ସହିତ ମିଶି ଏକ ଯୋଜନା ପ୍ରସ୍ତୁତ କରିଥିଲେ।

ବାସ୍ତବରେ, ଡେନେସ୍‌ ମଧ୍ୟ ନ୍ୟୁଜିଲାଣ୍ଡରେ ହିଁ ଥିଲେ। ସେ କୁକୁର ବିନା କାର୍ବିନଙ୍କ ପାଖକୁ ଅଷ୍ଟ୍ରେଲିଆ ଯିବାକୁ ଚାହୁଁ ନ ଥିଲେ। ଯଦିଓ କୋଭିଡ ପ୍ରତିବନ୍ଧକ ଯୋଗୁ ସେ ଯାତ୍ରା କରି ପାରୁ ନ ଥିଲେ। ଏହାରି ଭିତରେ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ଘରୋଇ ଜେଟ୍‌କୁ ଭଡ଼ା ନେଇ ସେ ଯାଇ ପାରିବେ, ତ ସେ କୁକୁରକୁ ମଧ୍ୟ ସାଙ୍ଗରେ ନେଇ ଯିବାକୁ ଯୋଜନା କରିଥିଲେ। ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଅର୍ଥ ଦେବାକୁ ପଡିଥିଲା। କପଲଙ୍କୁ କୁକୁର ପାଇଁ ସିଟ୍ ବୁକ୍ କରେଇବାରେ ୨୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା।

ଟ୍ୟାଶ କାର୍ବିନ କହିଛନ୍ତି, ‘ଟଙ୍କା କିଛି ଗୁରୁତ୍ୱ ରଖେ ନାହିଁ। ବାସ୍‌, ଖ୍ରୀଷ୍ଟମାସ ପୂର୍ବରୁ କିଏ ତାକୁ ଘରକୁ ଆଣି ପାରିବ, ମୁଁ କେବଳ ଏହାକୁ ଅପେକ୍ଷା କରିଥିଲି’। ସେ ଆହୁରି କହିଥିଲେ, ‘ଖ୍ରୀଷ୍ଟମାସ ଆମ ପାଇଁ ବାସ୍ତବରେ ଏକ ବଡ଼ କଥା। ମୁଁ ଚାହୁଁଛି କି, ଆମେ ସମସ୍ତେ ଏକାଠି ରହୁ’। ସେ କହିଥିଲେ କି, ନ୍ୟୁଜିଲାଣ୍ଡର ଦକ୍ଷିଣ ଦ୍ୱୀପ ଏବଂ ସନସାଇନ ତଟବର୍ତ୍ତୀ ବିମାନ ବନ୍ଦରରେ କିଛି ବିମାନ ଚଳାଚଳ କରୁଛି। ଏହା ଜାଣିବା ପରେ ଆମେ ଯୋଜନା ପ୍ରସ୍ତୁତ କରିଥିଲୁ।

ଯଦିଓ ଯାତ୍ରା କରିବା ପରେ ଉଭୟ ଡେନେସ୍‌ ଓ କୁକୁରକୁ ଆଇସୋଲେଶନରେ ଅଲଗା ରହିବାକୁ ପଡ଼ିବ। କିନ୍ତୁ ଖ୍ରୀଷ୍ଟମାସ ପୂର୍ବରୁ ସେମାନେ ପରିବାର ପାଖକୁ ଯିବାକୁ ସକ୍ଷମ ହେବେ। କାହିଁକିନା, ସେତେବେଳକୁ ଆଇସୋଲେଶନ ସମୟ ସରି ଯାଇଥିବ। ସୂଚନାଥାଉ କି, ଦମ୍ପତି ଏହି କୁକୁରକୁ ଇଣ୍ଡୋନେସିଆର ବାଲି ଦ୍ୱୀପରୁ କିଣିଥିଲେ। କିନ୍ତୁ ବହୁ ବର୍ଷ ପରେ ସେ ତାକୁ ଅଷ୍ଟ୍ରେଲିଆ ଆଣିବାରେ ସଫଳ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.