ଦ୍ୱିତୀୟ ଡୋଜ୍‌ର କେତେ ମାସ ପରେ ନେଇପାରିବେ ବୁଷ୍ଟର ଡୋଜ୍‌, ସାମ୍ନାକୁ ଆସିଲା ଏକ୍ସପର୍ଟଙ୍କ ମତ

କରୋନା ଭାଇରସ୍‌ (Coronavirus) ର ଦ୍ୱିତୀୟ ଡୋଜ୍‌ ଓ ବୁଷ୍ଟର ଡୋଜ୍‌ (Booster Dose) ମଧ୍ୟରେ ବ୍ୟବଧାନକୁ ନେଇ ଲୋକମାନେ ଏବେ ଦ୍ୱନ୍ଦ୍ୱରେ ଅଛନ୍ତି। ଲୋକଙ୍କ ଏହି ଦ୍ୱନ୍ଦ୍ୱକୁ ନଜରରେ ରଖି ଏକ୍ସପର୍ଟମାନେ ଏ ନେଇ ରିସର୍ଚ୍ଚ କରିଥିଲେ। ଏବେ ଏକ୍ସପର୍ଟ ଏ ନେଇ କହିଛନ୍ତି ଯେ କରୋନା ଟିକାର ଦ୍ୱିତୀୟ ଡୋଜ୍‌ ଓ ବୁଷ୍ଟର ଡୋଜ୍‌ ମଧ୍ୟରେ ୯ ରୁ ୧୨ ମାସ ବ୍ୟବଧାନ ରହିପାରେ। ଭାରତରେ ଟିକାକରଣ କାର୍ଯ୍ୟକ୍ରମରେ ବର୍ତ୍ତମାନ ବ୍ୟବହାର କରାଯାଉଥିବା ଭ୍ୟାକ୍‌ସିନ୍‌ କୋଭିସିଲ୍ଡ (Covishield) ଓ କୋଭାକ୍ସିନ୍‌ (Covaxin) ମଧ୍ୟରେ ବ୍ୟବଧାନକୁ ନେଇ ବୈଜ୍ଞାନିକମାନେ ଏବେ କାମ କରୁଛନ୍ତି ଓ ଏ ନେଇ ଖୁବ୍‌ଶୀଘ୍ର ନିର୍ଣ୍ଣୟ ନିଆଯିବ।

ରିପୋର୍ଟ ମୁତାବକ, ଟିକାକରଣ ବିଭାଗ ଓ ଟିକାକରଣ ଉପରେ ଜାତୀୟ ଟେକ୍ନିକାଲ ପରାମର୍ଶଦାତା ସମୂହ (NTAGI) ତରଫରୁ ଏ ନେଇ ଚର୍ଚ୍ଚା କରିବା ପରେ କୋଭିଡ୍‌ର ଦ୍ୱିତୀୟ ଡୋଜ୍‌ ଓ ବୁଷ୍ଟର ଡୋଜ୍‌ ମଧ୍ୟରେ ଅନ୍ତରାଳ ୯ରୁ ୧୨ ମାସ ରଖିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ଯେ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିବା ଅବସରରେ ୧୫ରୁ ୧୮ ବର୍ଷର କିଶୋରଙ୍କ ପାଇଁ ଟିକାକରଣ ଜାନୁଆରୀ ୩ରୁ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏଥିସହ ସମ୍ମୁଖ ଯୋଦ୍ଧା ଓ ମେଡିକାଲ ଷ୍ଟାଫ୍‌ଙ୍କୁ ବୁଷ୍ଟର ଡୋଜ୍‌ ୧୦ ଜାନୁଆରୀରୁ ଦେବାକୁ ଘୋଷଣା କରିଛନ୍ତି। ଧୀରେ ଧୀରେ ଓମିକ୍ରନ୍‌ ମାମଲା ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ବୁଷ୍ଟର ଡୋଜ୍‌ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରକାଶ ଯେ ଭାରତରେ ଇତି ମଧ୍ୟରେ ୯୦ ପ୍ରତିଶତ ଲୋକ କରୋନାର ପ୍ରଥମ ଡୋଜ୍‌ ନେଇଥିବା ବେଳେ ୬୦ ପ୍ରତିଶତ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି।