ଯୁଦ୍ଧ ମୁଦ୍ରାରେ ଦୁଇ ଦେଶ : ସୀମାରେ ଚୀନ୍କୁ ଧୂଳି ଚଟାଇବା ଭାରତର ବ୍ରହ୍ମୋସ ଓ ଆକାଶ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ : ସୀମାରେ ଯୁଦ୍ଧ ମୁଦ୍ରାରେ ଦୁଇ ଦେଶ ରହିଛନ୍ତି । କେତେବେଳେ କ’ଣ ହେବ କହିହେବ ନାହିଁ । ଉଭୟ ଦେଶ ମଧ୍ୟ ସୀମାରେ ନିଜର କ୍ଷେପଣାସ୍ତ୍ର ଠୁଳ କରିଥିବା ଦେଖିବାକୁ ମିଳିଛି । କୈାଣସିବି ପରିସ୍ଥିତିର ସାମ୍ନା କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିଛି ।
ଚୀନ ତା’ର ଆଦତରେ ପରିବର୍ତ୍ତନ କରୁନି । ସୀମାରେ ସୈନ୍ୟ ଅପସାରଣ କଥା କହୁଥିଲେ ହେଁ ବାସ୍ତବରେ ତା’ହା କରିନି । ଚୀନ୍ ଏବେବି ତା’ର ଧୋକ୍କାବାଜି କାର୍ଯ୍ୟକଳାପ ଜାରି ରଖିଛି । ନିକଟରେ ତିଦ୍ଧତ ଅଞ୍ଚଳରେ ଚୀନ୍ ତା’ର ସେନା ଓ ଅସ୍ତ୍ରଶସ୍ତ୍ର ଠୁଳ କରୁଥିବା ନଜରକୁ ଆସିଛି । ତେବେ ଚୀନ୍କୁ ଧୂଳି ଚଟାଇବା ପାଇଁ ଭାରତର ୫୦୦ କିଲୋମିଟର ଲକ୍ଷ୍ୟଭେଦୀ ବ୍ରହ୍ମୋସ କ୍ରୁଜ୍ ମିଜାଇଲ, ୮୦୦ କିଲୋମିଟର ଲକ୍ଷ୍ୟଭେଦୀ ନିର୍ଭୟ କ୍ରୁଜ୍ ମିଜାଇଲ୍ ଓ ୪୦ କିଲୋମିଟର ଦୂର ଆକାଶରେ ଲକ୍ଷ୍ୟଭେଦ କରିପାରୁଥିବା ଆକାଶ ମିଜାଇଲ୍ ଯଥେଷ୍ଟ ବୋଲି ଭାରତ କହିଛି ।
ଚୀନ୍ର ଏଭଳି ଆଭିମୁଖ୍ୟ କୈାଣସି ପରିସ୍ଥିତିରେ ବି ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିପାରେ । ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ସୀମାରେ ଅସ୍ତ୍ରଶସ୍ତ୍ର ଓ ମିଜାଇଲ୍ ଠୁଳ କରିବାକୁ ଲାଗିଛି । ଯୁଦ୍ଧ ପରିସ୍ଥିତିରେ କୈାଣସି ବି ନିଷ୍ପତ୍ତି ନେବାକୁ ସେନା ବାହିନୀକୁ ଭାରତ ସରକାର ସ୍ୱାଧୀନତା ଦେଇଛନ୍ତି ।
ଲଦାଖ ସଂଘର୍ଷ ପରେ ‘ପିପୁଲସ୍ ଲିବରେସନ୍ ଆର୍ମି’ର ୱେଷ୍ଟର୍ଣ୍ଣ ଥିଏଟର୍ କମାଣ୍ଡ୍ ତିବ୍ବତ ଏବଂ ଜିନ୍ଜିଆଙ୍ଗ୍ ଅଞ୍ଚଳରେ ୨୦୦୦ କିଲୋମିଟର୍ ଲକ୍ଷ୍ୟଭେଦୀ ଓ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରି ହେଉଥିବା ଦୂର ଲକ୍ଷ୍ୟଭେଦୀ ଅସ୍ତ୍ରଶସ୍ତ୍ର ମୁତୟନ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଯଦି ପରିସ୍ଥିତି ଅତ୍ୟନ୍ତ ଜଟିଳ ହୁଏ, ତେବେ ଭାରତ ମୁତୟନ କରିଥିବା ସୁପର୍ସୋନିକ୍ ବ୍ରହ୍ମୋସ, ସବ୍ସୋନିକ୍ ନିର୍ଭୟ ଏବଂ ଆକାଶ ଦ୍ବାରା ସେ ସବୁକୁ ମୁକାବିଲା କରିବ ।
ଚୀନ୍ର ଅସ୍ତ୍ରଶସ୍ତ୍ର ମୁତୟନ କେବଳ ଅଧିକୃତ ଅକ୍ସାଇ ଚୀନ୍ ମଧ୍ୟରେ ସୀମିତ ନୁହେଁ। ୩, ୪୮୮ କିଲୋମିଟର୍ ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖାର କାଶଗର୍, ହୋତାନ, ଲାସା ଏବଂ ନିଇଙ୍ଗ୍ଚି ଅଞ୍ଚଳରେ ମଧ୍ୟ ଚୀନ୍ ଅସ୍ତ୍ରଶସ୍ତ୍ର ମୁତୟନ କରିଛି ।
ଭାରତ ଚୀନ୍ ଉପରେ ତୀକ୍ଷ୍ଣ ନଜର ରଖିଛି । ଯଦି ଚୀନ୍ କୈାଣସି ବଦ୍ମାସୀ କରେ ତା’ର କଡ଼ା ଜବାବ ଦେବାକୁ ଭାରତ ପ୍ରସ୍ତୁତ ହୋଇ ରହିଛି ବୋଲି ପ୍ରତିରକ୍ଷା ବିଶେଷଜ୍ଞଙ୍କ ସୂତ୍ରରୁ ଜଣାପଡିଛି ।