କଲେଜ ଫ୍ରେଶର ପାର୍ଟିରେ ବାଉନ୍ସର ଏବଂ ଛାତ୍ରମାନଙ୍କ ମଧ୍ୟରେ ଗଣ୍ଡଗୋଳ: ଭିଡ଼ିଓ ଭାଇରଲ
ନୋଏଡାର ଏକ କଲେଜରେ କିଛି ଛାତ୍ରଙ୍କୁ ବାଉନ୍ସର ମାନେ ଅତି ନିର୍ମମ ଭାବେ ଆକ୍ରମଣ କରିଥିବା ମାମଲା ସାମ୍ନାକୁ ଆସିଛି । କଲେଜ ପାର୍ଟି ସମୟରେ ସାମାନ୍ୟ କଥାକୁ ନେଇ କଲେଜର କିଛି ଛାତ୍ର ଏବଂ ସେଠାରେ ଉପସ୍ଥିତ ଥିବା ବାଉନ୍ସରଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ତୀବ୍ର ସଂଘର୍ଷ ରୂପ ଧରିଥିଲା । ଏଥିରେ ଛାତ୍ରମାନଙ୍କ ଅବସ୍ଥା ସାଂଘାତିକ ହୋଇଥିବା ଜଣାଯାଇଛି । ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ନଲେଜ ପାର୍କ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ଏହି ଘଟଣା ଘଟିଛି ।
ଘଟଣା ମୁତାବକ, ଶନିବାର ରାତିରେ କଲେଜ କ୍ୟାମ୍ପସ୍ରେ ଫ୍ରେଶର ପାର୍ଟି ଚାଲିଥିଲା । ପାର୍ଟିରେ ବହୁ ସଂଖ୍ୟକ ଛାତ୍ର ଯୋଗ ଦେବା ସହ ସମସ୍ତେ ନାଚଗୀତରେ ବ୍ୟସ୍ତ ଥିଲେ । ଏହି ସମୟରେ କୌଣସି କଥାକୁ ନେଇ କିଛି ଛାତ୍ର ଏବଂ ବାଉନ୍ସରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ମାମଲା ଏତେ ବଢ଼ିଯାଇଥିଲା ଯେ, ଏଥିରେ ଉତ୍ତ୍ୟକ୍ତ ହୋଇ ବାଉନ୍ସରମାନେ ଛାତ୍ରଙ୍କୁ ଠେଙ୍ଗା ଓ ବାଡ଼ିରେ ନିଦ୍ଧୁର୍ମ ପିଟିଥିଲେ । ଏହି ଆକ୍ରମଣରେ ଜଣେ ଛାତ୍ର ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ, ଘଟଣାଟି କଲେଜ୍ ଅଧିକାରୀଙ୍କ ସାମ୍ନାରେ ଘଟିଛି । ମାରପିଟ୍ର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ସେପଟେ, ଏହି ଘଟଣା ପରେ ଛାତ୍ରମାନଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି । ଛାତ୍ରମାନେ କଲେଜ ପ୍ରଶାସନ ଏବଂ ବାଉନ୍ସରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅପରପକ୍ଷେ, ଭାଇରାଲ ଭିଡିଓକୁ ଆଧାର କରି କୋଟୱାଲୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ କହିଛି ଯେ, ସମ୍ପୃକ୍ତ ଲୋକଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହିତ ଏହି ମାମଲାରେ ପୀଡ଼ିତାଙ୍କ ସହ ଯୋଗାଯୋଗ କରିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।