ବାଥରୁମ୍‌ରେ ଲୁଚି ଲୁଚି କାନ୍ଦନ୍ତି ବ୍ରାଜିଲର ରାଷ୍ଟ୍ରପତି, କହିଲେ- ସ୍ତ୍ରୀ ବି ଜାଣନ୍ତିନି ଏକଥା

ବାଥରୁମ୍‌ରେ ଲୁଚି ଲୁଚି କାନ୍ଦନ୍ତି ବ୍ରାଜିଲର ରାଷ୍ଟ୍ରପତି। ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରୋ କହିଛନ୍ତି, ସେ ସବୁ ବେଳେ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ବାଥ୍‌ରୁମ୍‌ରେ ଲୁଚି ଲୁଚି କାନ୍ଦିଥାନ୍ତି। ଏବେ ବ୍ରାଜିଲ କରୋନା ଭାଇଇସ୍‌ ସହ ଠିକ୍‌ ଭାବେ ଲଢ଼ିପାରୁନଥିବା ବେଳେ ଏଭଳି ବଡ଼ ବୟାନ ଦେଇଛନ୍ତି ଦେଶର ରାଷ୍ଟ୍ରପତି। କରୋନା ମୁକାବିଲା କରିବାରେ ବ୍ରାଜିଲର ରାଷ୍ଟ୍ରପତି ସମ୍ପୂର୍ଣ୍ଣ ସଫଳ ହୋଇନଥିବାରୁ ଧୀରେ ଧୀରେ ତାଙ୍କ ଲୋକପ୍ରିୟତା କମିବାରେ ଲାଗିଛି।

ଦକ୍ଷିଣପନ୍ଥୀ ନେତା ଜେୟର ବୋଲସୋନାରୋ ଗୁରୁବାର ରାଜଧାନୀ ବ୍ରାଜିଲିୟାର ଏକ ଚର୍ଚ୍ଚ ବାହାରେ ନିଜ ସମର୍ଥକଙ୍କ ସାମ୍ନାରେ ଏହି କଥା କହିଛନ୍ତି। ସେ କହିଛନ୍ତି, ଆମେ ଜାଣୁ ଯେ ଆମକୁ କ’ଣ କରିବାକୁ ଅଛି। ନିଜ ବଳକୁ କେଉଁଠାକୁ ପଠାଇବାର ଅଛି। ମୁଁ ଅନେକ ଥର ଘରର ବାଥରୁମ୍‌ରେ ଏକୁଟିଆ କାନ୍ଦିଛି। ମୋ ସ୍ତ୍ରୀ ମିଶେଲ ବୋଲସୋନାରୋ ବି ଏ କଥା ଜାଣନ୍ତି ନାହିଁ। ସେ ଭାବନ୍ତି ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ମୋତେ ଲାଗୁଛି ସେ କେତେକାଂଶରେ ଠିକ୍‌।


ଜେୟର ବୋଲସୋନାରୋ କହିଛନ୍ତି, ମୋତେ କାହିଁକି ଏମିତି କାନ୍ଦିବାକୁ ପଡ଼ୁଛି ଜାଣନ୍ତି! ଏବେ ମୁଁ ସାଂସଦ ନାହିଁ। ମୁଁ ପୂରା ସମ୍ମାନ ସହ ସମସ୍ତ ସାଂସଦଙ୍କୁ କହିବାକୁ ଚାହୁଁଛି ଯେ ଯଦି ସେମାନେ ଭୋଟ୍‌ ଦେବାକୁ ଭୁଲି ଯିବେ ତେବେ କିଛି ବି ପ୍ରଭାବିତ ହେବ ନାହିଁ। କିନ୍ତୁ ମୋ ନିଷ୍ପତ୍ତି ଯୋଗୁ ଲୋକମାନେ ଖୁବ୍‌ ପ୍ରଭାବିତ ହେବେ। ଏହା ଦ୍ୱାରା ସେୟାର ବଜାର, ଡଲାର ଓ ଇନ୍ଧନର ଦାମ୍‌ ବଢ଼ିପାରେ।

ସୂଚନାଯୋଗ୍ୟ ଯେ କରୋନା ମହାମାରୀ ବେଳେ ଜେୟର ବୋଲସୋନାରୋ ସରକାରଙ୍କ ଆପ୍ରୁଭାଲ ରେଟିଂ ତଳକୁ ଖସି ୨୨ ପ୍ରତିଶତ ଛୁଇଁଥିଲା। ସେ ପଦ ସମ୍ଭାଳିବା ପରେ ଏହା ସର୍ବନିମ୍ନ ସ୍ତର। ଦେଶରେ ଦରଦାମ୍‌ ବୃଦ୍ଧି ଓ ବେରୋଜଗାରୀ ଉଚ୍ଚ ସ୍ତରରେ ରହିଛି। ଏଣୁ ଅନୁମାନ କରାଯାଉଛି ଯେ ଆଗାମୀ ନିର୍ବାଚନରେ ବୋଲସୋନାରୋ ପଦଚ୍ୟୁତ ହୋଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.