ବ୍ରିକ୍ସ ସମ୍ମିଳନୀ : ୫ ବର୍ଷ ପରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଭେଟିବେ ମୋଦି, ବୈଠକ ଉପରେ ସମଗ୍ର ବିଶ୍ବର ନଜର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ  ରୁଷ ଗସ୍ତରେ ରହିଛନ୍ତି । ଏହି ଅବସରରେ ଆଜି ମୋଦି ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଭେଟିବେ । ଦୀର୍ଘ ୫ ବର୍ଷ ପରେ ଉଭୟ ଶୀର୍ଷ ନେତାଙ୍କ ଆଜି ହେବ ଭେଟ୍‌ଘାଟ । ଏମାନଙ୍କ ବୈଠକ ଉପରେ ସମଗ୍ର ବିଶ୍ବର ନଜର ରହିଛି । ଏହି ବୈଠକରେ ଏସିଆର ଦୁଇ ଅଗ୍ରଣୀ ଦେଶର ପ୍ରମୁଖ ୫ ବର୍ଷ ପରେ ଔପଚାରିକ ଆଲୋଚନା କରିବାକୁ ଯାଉଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ସମଗ୍ର ବିଶ୍ୱରେ ଚାଲିଥିବା ଅଶାନ୍ତି ଏବଂ ବିଭିନ୍ନ ଦେଶରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଏହି ବୈଠକ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

୨୦୧୯ ରେ ବ୍ରାଜିଲରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଜିନପିଙ୍ଗ ଏବଂ ପିଏମ ମୋଦି ପରସ୍ପରର ମୁହାଁମୁହିଁ ହୋଇଥିଲେ । ବର୍ତ୍ତମାନ ୨୦୨୪ରେ ବ୍ରିକ୍ସ ଶିଖର ସମ୍ମିଳନୀରେ ଉଭୟ ନେତା ପୁନର୍ବାର ସାକ୍ଷାତ କରିବାକୁ ଯାଉଛନ୍ତି । ରୁଷର କାଜାନ ସହରରେ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ଆଲୋଚନାକୁ ନେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି ସ୍ପଷ୍ଟ କରିଛନ୍ତି ।

ପୂର୍ବ ଲଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ପାଟ୍ରୋଲିଂ ସମ୍ପର୍କରେ ଭାରତ ଏବଂ ଚୀନ୍ ମଧ୍ୟରେ ଚୁକ୍ତି ହେବା ପରେ ଦୁଇ ଦେଶ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେଉଛି । ଗତ କିଛି ବର୍ଷ ଧରି ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସାମରିକ ବିବାଦ ବର୍ତ୍ତମାନ ଧୀରେ ଧୀରେ ଶାନ୍ତ ହେବାରେ ଲାଗିଛି । ୨୦୨୦ରେ ପୂର୍ବ ଲଦାଖରେ ଗଲୱାନ ଘାଟିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ଗୁଳିକାଣ୍ଡ ହୋଇଥିଲା । ଯେଉଁଥିରେ ଭାରତର ୨୦ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୦ ସୈନିକ ନିହତ ହୋଇଥିଲେ ।

You might also like