ବିହାର: ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି ପଡ଼ିଛି । କୁହାଯାଉଛି ଯେ ବକରା ନଦୀରେ ଏହି ନବନିର୍ମିତ ବ୍ରିଜ୍ ଉଦ୍ଘାଟନ ହେବାର ଥିଲା । କିନ୍ତୁ ଏହା ପୂର୍ବରୁ ହିଁ କୋଟି କୋଟି ଟଙ୍କା ବ୍ୟୟରେ ତିଆରି ବ୍ରିଜ୍ଟି ଭୁଶୁଡ଼ି ପଡ଼ିଛି । ସିକଟି ବ୍ଲକ ଅନ୍ତର୍ଗତ ପଡ଼ରିଆ ଘାଟରେ ଏହି ବ୍ରିଜ୍ ନିର୍ମାଣ କରାଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ, ସିକଟି ବ୍ଲକ ବକରା ନଦୀ ଉପରେ ପ୍ରାୟ ୧୨ କୋଟି ଟଙ୍କା ବ୍ୟୟରେ ପଡ଼ରିଆ ବ୍ରିଜ୍ ନିର୍ମାଣ କରାଯାଇଥିଲା । ହେଲେ ମଙ୍ଗଳବାର ବ୍ରିଜ୍ର ୩ଟି ପିଲର୍ ନଦୀରେ ଧସି ପଡ଼ିବାରୁ ପୂରା ବ୍ରିଜ୍ଟି ଭୁଶୁଡ଼ି ପଡ଼ିଥିଲା । ଖବର ପାଇ ବ୍ରିଜ୍ ନିର୍ମାଣ କରିଥିବା ଏଜେନ୍ସିର କର୍ମଚାରୀଙ୍କ ସହ ପ୍ରଶାସନିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ରିପୋର୍ଟ ମୁତାବକ, ଅରାରିଆର ଜିଲ୍ଲାର ଗ୍ରାମୀଣ କାର୍ଯ୍ୟ ବିଭାଗ ଦ୍ୱାରା ଏହି ବ୍ରିଜ୍ ନିର୍ମାଣ ହୋଇଥିଲା । ଭୂମି ଉପରେ ପିଲର୍ ଖୋଳି ଏହାକୁ ତିଆରି କରାଯାଇଥିଲା । ଆପ୍ରୋଚ୍ ରୋଡ୍ ତିଆରି ହୋଇ ନ ଥିଲା । ପାଖାପାଖି ୧୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ବ୍ରିଜ୍ ପ୍ରାୟ ୧୦୦ ମିଟରର ଥିଲା ବୋଲି ରିପୋର୍ଟରୁ ଜଣାପଡ଼ିଛି ।