ଘୋଷାଡ଼ି ଘୋଷାଡ଼ି ଆଣି ମଝି ରାସ୍ତାରେ ଶଳା ମୃତଦେହକୁ ଫୋପାଡ଼ିଲା ଭିଣେଇ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଶଳାର ଜୀବନ ନେଲା ଭିଣେଇ । ଜୀବନ ନେବା ପରେ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ଆଣିଲା । ଆଉ ମଝି ରାସ୍ତାରେ ହିଁ ମୃତଦେହକୁ ଫୋପାଡ଼ି ଦେଲା । ରେଳ ଷ୍ଟେସନ ଆଗରେ କଲା ଏମିତି କାଣ୍ଡ । ପ୍ରଥମେ ଶଳାକୁ ଚା ପିଇବାକୁ ଡାକିଲା । ଆଉ କଥା ହେଉ ସିଧା ଆକ୍ରମଣ କଲା । ଆକ୍ରମଣ କରି ଜୀବନ ନେଲା । ହତ୍ୟା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଉତ୍ତରପ୍ରଦେଶର ଇଟାଓ୍ଵାଠାରେ ଭିଣେଇ ନିଜ ଶଳାର ଏଭଳି ଭାବେ ହତ୍ୟା କରିଛି । ସିଭିଲ୍ ଲାଇନ ଅଞ୍ଚଳରେ ଥିବା ରେଳ ଷ୍ଟେସନ ବାହାରେ ଏମିତି କାଣ୍ଡ ହୋଇଥିବା ସୂଚନା ମିଳିଛି । ଦିନ ଦ୍ୱିପ୍ରହରରେ ଏମିତି ହତ୍ୟା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୁବୃର୍ତ୍ତର ନା ଥିଲା ଲୋକଙ୍କୁ ଭୟ ନା ଥିଲା ପୋଲିସର ଭୟ । ସ୍ତ୍ରୀକୁ ପାଇବା ପାଇଁ ଶଳାର ଜୀବନ ନେବାକୁ ପଛାଇଲାନି । ହତ୍ୟାକାରୀ ନିଜ ସ୍ତ୍ରୀକୁ ପାଇବା ହିଁ ଏମିତି ଅପରାଧ କଲା । ମୃତକ ଜଣକ ହେଉଛନ୍ତି ମୋନୁ ଯାଦବ ଏବଂ ହତ୍ୟାକାରୀ ହେଉଛି ଜିତେନ୍ଦ୍ର ମୋର୍ଯ୍ୟ । ଜିତେନ୍ଦ୍ର ନିଜ ଶଳା ମୋନୁକୁ ଚା’ ଦୋକାନକୁ ଡାକିଥିଲା ପରେ ଦୁଇ ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ । ବିବାଦ ଏତେ ବଢ଼ିଗଲା ଯେ ଜିତେନ୍ଦ୍ର ନିଜ ଶଳାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଚାଲିଲା । ଆଉ ହତ୍ୟା କରିବା ପରେ ଶଳାର ମୃତ ଶରୀରକୁ କାନ୍ଧରେ ଧରି ରାସ୍ତା ଉପରକୁ ଆଣିଲା । ବିଚ୍ ରାସ୍ତାରେ ଶଳାର ମୃତ ଶରୀରକୁ ଫୋପାଡ଼ିଲା ଭିଣେଇ ।
ପୋଲିସ ଦେଇଥିବା ସୂଚନା ଅନୁସାରେ ବରେଲି ଜିଲ୍ଳାର ବାସିନ୍ଦା ଜିତେନ୍ଦ୍ର ମୋର୍ଯ୍ୟ ଗତ କିଛି ବର୍ଷ ହେବ ଇଟାଓ୍ଵାରେ ଏକ ନର୍ସରୀ ଦୋକାନ କରିଥିଲା । ଅନ୍ୟପଟେ ଇଟାଓ୍ଵାରେ ରହୁଥିବା ମୋନୁ ଯାଦବ ଉକ୍ତ ନର୍ସରୀରେ କାମ କରୁଥିଲା । ଏହାରି ଭିତରେ ମୋନୁ ଭଉଣୀକୁ ପ୍ରେମ କରି ବସିଲା ଜିତେନ୍ଦ୍ର । ସୁଯୋଗ ଦେଖି ଦୁଇ ଜଣ ବିବାହ ମଧ୍ୟ କରିଥିଲେ । କିନ୍ତୁ ଏହି ବିବାହକୁ ମୋନୁ ପରିବାର ଲୋକ ସହଜରେ ଗ୍ରହଣ କରିନଥିଲେ । ଜିତେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ ମୋନୁର ପରିବାର । ମାମଲା କୋର୍ଟରେ ପହଞ୍ଚିଲା । ଆଉ ଝିଅ ନାବାଳିକା ହୋଇଥିବାରୁ ବିବାହକୁ ଖାରଜ କରିଥିଲା କୋର୍ଟ । ଝିଅ ନିଜ ପରିବାରକୁ ଫେରି ଆସିଥିଲା । ଏହାରି ଭିତରେ ମୋନୁ ଯାଦବ ନିଜ ଭଉଣୀର ଦ୍ୱିତୀୟ ବିବାହ କରାଇଥିଲା । ଏହାକୁ ନେଇ ମୋନୁ ଉପରେ ରାଗ ରଖିଥିଲା ଜିତେନ୍ଦ୍ର ।
ଅଭିଯୁକ୍ତ ଜିତେନ୍ଦ୍ର ଚା’ ପିଇବା ବାହାନାରେ ମୋନୁକୁ ଷ୍ଟେସନ ପାଖକୁ ଡାକିଥିଲା । ଆଉ ପ୍ଲାନ୍ ଅନୁସାରେ ପ୍ରଥମେ ମୋନୁ ସହ ଝଗଡ଼ା କରିଥିଲା । ଝଗଡ଼ାରୁ ସିଧା ମୋନୁକୁ ଆକ୍ରମଣ କରି ଜୀବନ ନେଇଗଲା ଅଭିଯୁକ୍ତ । ଯାହାର ସିସିଟିଭି ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୋନୁକୁ ମାରିବା ପରେ ଫେରାର ହେବାକୁ ଚେଷ୍ଟା କରିଥିଲା । କିନ୍ତୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଅଭିଯୁକ୍ତକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।