ନିର୍ଦ୍ଦୟୀ ବୋହୂର ବର୍ବରତା: ୧୦୫ ବର୍ଷୀୟ ଶାଶୁଙ୍କୁ ନିର୍ଧୁମ ପିଟିଲା, ପଡ଼ୋଶୀ ବନାଇଦେଲେ ଭିଡିଓ; ଆଉ ତା’ପରେ…

କାନପୁରରେ ଜଣେ ବୋହୂ ନିଜ ଶାଶୁଙ୍କ ଉପରେ ଅତ୍ୟାଚାରର ସବୁ ସୀମା ପାର୍‌ କରି ଦେଇଛନ୍ତି। ଘଟଣା ଘଟିଛି କାନପୁରର ଚକେରୀ ଖେଡ଼ା ଗାଁରେ। ବୋହୂ ଜଣକ ୧୦୫ ବର୍ଷୀୟ ନିଜ ଶାଶୁଙ୍କ ସହିତ ମାରପିଟ କରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ତାଙ୍କ ନିର୍ଦ୍ଦୟତାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ବୋହୂ, ବୃଦ୍ଧା ଶାଶୁଙ୍କୁ ଗାଧୋଇ ଦେବା ସମୟରେ ନିର୍ଧୁମ ପିଟୁଥିବା, ମୁହଁରେ ଖାଦ୍ୟ ଠୁଁସୁଥିବା ଏବଂ ନିର୍ଘାତ ବାଡ଼ାଉଥିବା ଦେଖିବାକୁ ମିଳୁଛି। ତେବେ ଭିଡିଓଟି ପୋଲିସ ପାଖରେ ପହଞ୍ଚିବା ପରେ ପୋଲିସ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା। ଏହାପରେ ପୋଲିସ ସମ୍ପୃକ୍ତ ବୋହୂଙ୍କୁ ଗିରଫ କରି ୧୫ ଦିନ ପାଇଁ ଜେଲ୍‌ ହାଜତକୁ ପଠାଇ ଦେଇଛି।

କହି ରଖୁଛୁ, ଖେଡ଼ା ଗାଁର ବାସିନ୍ଦା ଜୟରାମ ଦେବୀ ନିଜ ପୁଅ ଭଗବାନ ବଲୀ ଓ ବୋହୂ ଆରତୀ ଗୁପ୍ତାଙ୍କ ସହ ରହୁଛନ୍ତି। ଜୟରାମ ଦେବୀଙ୍କ ସ୍ୱାମୀ ବିଷ୍ଣୁ ଦତ୍ତଙ୍କ ନିଧନ ହୋଇଯାଇଛି। ବର୍ତ୍ତମାନ ଜୟରାମଙ୍କ ବୟସ ୧୦୫। ଏଭଳି ସ୍ଥିତିରେ ବୋହୂ ତାଙ୍କ ଦେଖାଶୁଣା କରିବା ପରିବର୍ତ୍ତେ ପ୍ରତ୍ୟେକ ଦିନ ତାଙ୍କ ସହିତ ଅକଥନୀୟ ଅତ୍ୟାଚାର କରି ଆସୁଥିଲେ। ଉଠିବା, ବସିବା, ଖାଇବା ପିଇବା ସମୟରେ ଶାଶୁଙ୍କୁ ଖୁବ୍‌ ପିଟୁଥିଲେ। ତେବେ ଏ ସମସ୍ତ କଥା ପଡ଼ୋଶୀମାନେ ଜାଣିଥିଲେ। ଦିନେ ସେମାନେ ମାରପିଟର ଭିଡିଓ ପ୍ରସ୍ତୁତ କରି ତାହାକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ। ଏହାପରେ ଭିଡିଓଟି ପୋଲିସ ପାଖରେ ପହଞ୍ଚିଥିଲା। ପୋଲିସର କହିବା ମୁତାବକ, ଆମେ ଏହି ଭିଡିଓ ଜରିଆରେ ଖୁବ୍‌ କମ୍‌ ଦିନ ଭିତରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ଯାଇଥିଲୁ।

ଦୀର୍ଘ ଦିନରୁ ବୃଦ୍ଧା ଯନ୍ତ୍ରଣା ସହି ଆସୁଥିଲେ

ସେପଟେ ପୋଲିସ ଏହି ଘଟଣାରେ ପଡ଼ୋଶୀମାନଙ୍କୁ ଧନ୍ୟବାଦ ଜଣାଇଛି। ପଡ଼ୋଶୀମାନେ ଭିଡିଓ ଭାଇରାଲ କରି ଏହା ମାଧ୍ୟମରେ ସମାଜକୁ ସଚେତନ କରାଇଥିଲେ। ଭିଡିଓ ଭାଇରାଲ ହେବାର ମାତ୍ର କିଛି ହିଁ ମିନିଟ୍‌ ଭିତରେ ନିର୍ଦ୍ଦୟୀ ବୋହୂ ଜେଲ୍‌ରେ ପହଞ୍ଚିଥିଲା। ଯଦି ପଡ଼ୋଶୀମାନେ ଏହା କରି ନ ଥାଆନ୍ତେ, ତେବେ ବୃଦ୍ଧା ଜଣକ ଏମିତି କେତେ ଦିନ ପର୍ଯ୍ୟନ୍ତ ବୋହୂର ଅତ୍ୟାଚାର ସହି ଥାଆନ୍ତେ, ତାହା କେହି ବି କହିପାରି ନ ଥାଆନ୍ତେ। ତେବେ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ଅଭିଯୁକ୍ତା ବର୍ଷ ବର୍ଷ ଧରି ନିଜ ବୃଦ୍ଧା ଶାଶୁଙ୍କ ଉପରେ ଏମିତି ଅତ୍ୟାଚାର କରି ଆସୁଥିଲେ। ନିରୀହ ବୃଦ୍ଧା ଜଣକ ବି ତାହାକୁ ସହୁଥିଲେ। ଏପରି କି, ବୃଦ୍ଧା ଠିକ୍‌ ଭାବରେ କଥା କହିପାରୁ ନ ଥିବା ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.