ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଅଟକାଇଲେ ଯବାନ, ମାରଣାସ୍ତ୍ରରେ ବିଏସଏଫ୍ ଯବାନଙ୍କୁ କଲେ ଆକ୍ରମଣ

ଭାରତ-ବାଂଲାଦେଶ ବର୍ଡର ବିଏସଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ବାଂଲାଦେଶ ଅନୁପ୍ରବେଶକାରୀ । ପଶ୍ଚିମବଙ୍ଗ ବର୍ଡର ଦେଇ ଭାରତକୁ ଅବୈଧ ଭାବେ ପ୍ରବେଶ କରୁଥିବା ବେଳେ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ଅଟକାଇଥିଲେ ବିଏସଏଫ୍ ଯବାନ୍ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ଅନୁପ୍ରବେଶକାରୀଙ୍କ ସଂଖ୍ୟା ଅଧିକ ଥିଲା, ସମସ୍ତଙ୍କ ପାଖରେ ଠେଙ୍ଗା, ଲାଠି ଏବଂ ଅନ୍ୟ ମାରଣାସ୍ତ୍ର ରହିଥିଲା । ଅନୁପ୍ରବେଶକାରୀଙ୍କ ଆକ୍ରମଣରେ ଜଣେ ବିଏସଏଫ୍ ଯବାର ଗୁରୁତର ଭାବେ ଆହତ ହୋଇଛନ୍ତି । ବିଏସଏଫ ଯବାନ ନିଜକୁ ରକ୍ଷା କରିବା ପାଇଁ ଫାୟରିଂ ମଧ୍ୟ କରିଥିଲା ।
ଖବର ମୁତାବକ, ବାଂଲାଦେଶୀ କଟୁରୀ, ଧାରୁଆ ଅସ୍ତ୍ର ସମତେ ଅନ୍ୟ ଜିନିଷ ନେଇ ଆସିଥିଲେ । ମାତ୍ର ୬ ଘଣ୍ଟାରେ ଦୁଇଥର ବିଏସଏଫ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ପ୍ରଥମେ ଅଧରାତିରେ କରିଥିବା ବେଳେ ଆଜି ସକାଳେ ଆଉଥରେ ଆକ୍ରମଣ କରିଛନ୍ତି । ବିଏସଏଫ୍ ଯବାନଙ୍କ କହିବା ଅନୁସାରେ କୌଣସି ଅପରାଧିକ କାର୍ଯ୍ୟ ଉଦ୍ଦେଶ୍ୟରେ ବାଂଲାଦେଶୀ ଅପରାଧୀମାନେ ଭାରତ ଭିତରକୁ ପ୍ରବେଶ କରୁଥିଲେ ।
ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଫାଙ୍କା ଗୁଳିଚାଳନା କରିଥିଲେ ବିଏସଏଫ୍ ଯବାନ । ଅନୁପ୍ରବେଶକାରୀଙ୍କ ସଂଖ୍ୟା ଅଧିକ ଥିବାରୁ ବିଏସଏଫ୍ ଯବାନଙ୍କ ଟିମକୁ ଘେରିଯାଇଥିଲେ ଆକ୍ରମଣ କରିଥିଲେ ଅପରାଧୀମାନେ । ଆତ୍ମରକ୍ଷା ପାଇଁ ବାଂଲାଦେଶୀଙ୍କ ଉପରେ ଗୁଳି ଚଳାଇଥିଲେ ଯବାନ । ଏହାପରେ ସେମାନେ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରେ ଜଣେ ଆହତ ବାଂଲାଦେଶୀକୁ ଅଟକ ରଖାଯାଇଥିବା ବେଳେ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ଏହି ଘଟଣା ପରେ ସୀମାରେ କଡ଼ା ସୁରକ୍ଷା ଜାରି ରହିଛି । ବାଂଲାଦେଶୀ ଆକ୍ରମଣରେ ଆହତ ହୋଇଥିବା ଯବାନଙ୍କ ଚିକିତ୍ସା ଚାଲିଛି ।
Also Read : ଆମେରିକାରୁ ୧୦୪ ଅବୈଧ ଭାରତୀୟ ପ୍ରବାସୀଙ୍କୁ ଧରି ପହଞ୍ଚିଲା C-17 ବିମାନ, ଅମୃତସରରେ କଲା ଲ୍ୟାଣ୍ଡ