ପୁଣି ସହିଦ ହେଲେ ଆଉ ଜଣେ BSF ଯବାନ, ୭ ଆହତ

ଜମ୍ମୁର ଅନ୍ତରାଷ୍ଟ୍ରୀୟ ସୀମାରେ ପାକିସ୍ତାନୀଙ୍କ ଗୁଳି ମାଡରେ ଜଣେ BSF ଯବାନ ସହିଦ । ତାଙ୍କ ଜୀବନହାନି ଘଟିଥିବାବେଳେ ଅନ୍ୟ ୭ଜଣ ମଧ୍ୟ ଆହତ ହୋଇଛନ୍ତି । BSFର ବୀର ସହିଦ ସବ୍ ଇନ୍ସପେକ୍ଟର ମହମ୍ମଦ ଇମତିଆଜ ସାହାସିକତାର ସହ ଆଗକୁ ବଢି ନେତୃତ୍ୱ ନେଇ ଦେଶ ପାଇଁ ବଡ଼ ବଳିଦାନ ଦେଇଛନ୍ତି । ତାଙ୍କର ଏପରି ବଳିଦାନକୁ ସମସ୍ତେ ସଲାମ କରିଛନ୍ତି ।
ସୂଚନାନୁଯାୟୀ, ପାକିସ୍ତାନ ସୀମା ପାର ଗୁଳିମାଡ଼ରେ BSF ଯବାନ ପ୍ରାଣ ହରାଇଥିବାବେଳେ ଗୁଳି ଆକ୍ରମଣରେ ଅନ୍ୟ ଆଉ ୭ ଜଣ ଆହତ ହୋଇଛନ୍ତି । ତୁରନ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଳରେ ଭର୍ତ୍ତି କରାଯାଇଛି । ମେ ୧୦ ଜମ୍ମୁର ଆରଏସସୀମାରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ବୀର ସହିଦଙ୍କ ସର୍ବୋଚ୍ଚ ବଳିଦାନକୁ ସଲାମ କରିବା ସହ ସେ ସାହାସିକତାର ସହ ନେଇଥିବା ନେତୃତ୍ୱ ସମ୍ପର୍କରେ ଜଣାଇଛନ୍ତି BSF ର ବରିଷ୍ଠ ଅଧିକାରୀ । ଏହା ବ୍ୟତୀତ BSFର ମହାନିର୍ଦ୍ଦେଶକ ସହିଦଙ୍କ ପରିବାରଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି ।
ଅନ୍ୟପଟେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ସମ୍ମାନିତ କରିବା ପାଇଁ ରବିବାର ପାଲୋରା ସ୍ଥିତ ଜମ୍ମୁ ଫ୍ରଣ୍ଟିୟର ମୁଖ୍ୟାଳୟରେ ଆୟୋଜନ କରାଯିବ ବୋଲି କହିଛନ୍ତି ବିଏସଏଫର ଜଣେ ଅଧିକାରୀ । ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରିବା ପାଇଁ ୨ କିଲୋମିଟର ଠାରୁ ଦୂରତାର ସୀମା ରେଖା ପର୍ଯ୍ୟନ୍ତ BSF ଯବାନଙ୍କୁ ସୁରକ୍ଷା ଦାୟିତ୍ବ ଦିଆଯାଇଛି ।
ଏହାରି ମଧ୍ୟରେ ଭାରତ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ଦୁଇ ଦେଶ ରାଜି ହୋଇଥିଲେ । କିନ୍ତୁ ପୁଣି ଏହାକୁ ଉଳ୍ଲଘଂନ କରି ପାକିସ୍ତାନ ଶନିବାର ରାତିରେ ଜମ୍ମୁ କାଶ୍ମୀରର ଅନେକ ସ୍ଥାନକୁ ଡ୍ରୋନ ପଠାଇଥିଲା । ଏହା ବିରୋଧରେ ସଶସ୍ତ୍ର ବାହିନୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହା ବ୍ୟତୀତ ସୁରକ୍ଷା ଏଜେନ୍ସିଗୁଡିକ ଗୁଳିଚାଳନା କରି ଉଡୁଥିବା ଡ୍ରୋନକୁ ଖସାଇଥିଲେ । ଶ୍ରୀନଗରରେ ମଧ୍ୟ ଅନେକ ବିସ୍ଫୋରଣ ଘଟିଥିବାର ଖବର ସାମ୍ନାକୁ ଆସିଛି । ଅଧିକାରୀଙ୍କ ସୂଚନାନୁଯାୟୀ, ପ୍ରାୟ ରାତି ୮.୨୦ ସୁଦ୍ଧା ଡ୍ରୋନ ଉଡୁଥିବା ନଜର ଆସିଥିଲା । ସହରରେ ଲଗାତାର ଆକାଶରେ ନିଆଁ ଉତ୍ପନ୍ନ ହେଉଥିଲା । ଯାହାଫଳରେ ପ୍ରତି ୧୫ ମିନିଟକୁ ଥରେ ବିସ୍ଫୋରଣର ଶବ୍ଦ ଶୁଭିବାକୁ ମିଳୁଥିଲା ।
Also Read : ସୁଧୁରୁନି ପାକିସ୍ତାନ : ଯୁଦ୍ଧ ବିରତି ଘୋଷଣାର ୩ ଘଣ୍ଟା ନ ପୁରୁଣୁ ପୁଣି ଆକ୍ରମଣ, ସେନାକୁ କଡା ପଦକ୍ଷେପ ପାଇଁ…