ମୁମ୍ବାଇ: ଭୁଶୁଡିଲା ୩ ମହଲା ବିଲିଡିଂ, ଉଦ୍ଧାର କାର୍ଯ୍ୟ ଜାରି, ଅନେକ ଦବିଥିବା ଆଶଙ୍କା

ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ସ୍ଥିତି ବେହାଲ୍‌ । ମୁମ୍ବାଇର ଶାହବାଜ ଗାଁରେ ଏକ ତିନି ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିବାରୁ ବହୁ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ଏନଡିଆରଏଫ, ପୋଲିସ ଏବଂ ଅଗ୍ନିଶମ ଦଳ ଟିମ୍‌ ରହିଛି । ଦୁଇଜଣଙ୍କୁ ଭଗ୍ନାବଶେଷ ତଳୁ ଜୀବନ୍ତ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ମୁତାବକ, ମହାରାଷ୍ଟ୍ରର ମୁମ୍ବାଇ ସେକ୍ଟର ୧୯, ଶାହବାଜରେ ଏକ ୩ ମହଲା ବିଲଡିଂ ଭୁଶୁଡ଼ି ପଡ଼ିଛି । ସେହି ବିଲଡିଂରେ ୨୪ଟି ପରିବାର ରହୁଥିଲେ । ତେବେ ବିଲିଡିଂ ଭୁଶୁଡିବା ଯୋଗୁଁ ଭଗ୍ନାବଶେଷ ତଳେ ଅନେକ ଲୋକ ଦବି ହୋଇ ରହିଥିବା ନେଇ ଆଶଙ୍କା କରାଯାଉଛି । ପ୍ରବଳ ବର୍ଷା ପରେ ନଭୀ ମୁମ୍ବାଇର ଶାହବାଜ ଗ୍ରାମରେ ନିର୍ମିତ ହୋଇଥିବା ପ୍ଲସ ୩ ମହଲା ବିଲଡିଂ ଅଚାନକ ଭୁଶୁଡ଼ି ପଡ଼ିଥିଲା । ଘଟଣାଟି ଭୋର ୪.୫୦ ମିନିଟରେ ଘଟିଛି । ତେବେ ସମସ୍ତେ ଶୋଇଥିବା ବେଳେ ଏଭଳି ଘଟଣା ଘଟିଥିବା ଯୋଗୁଁ ଅନେକ ଚାପି ହୋଇଥିବା ଆଶଙ୍କା କରାଯାଉଛି ।

ନଭୀ ମୁମ୍ବାଇ ନଗର ନିଗମ ଅଧିକାରୀଙ୍କ କହିବାନୁଯାୟୀ, ଏହି ବିଲିଡିଂରେ ୩ ଦୋକାନ ଏବଂ ୧୩ଟି ଫ୍ଲାଟ୍‌ ରହିଛି । ଏପର୍ଯ୍ୟନ୍ତ ୫୨ ଲୋକଙ୍କୁ ଉଦ୍ଧାର କରାଯାଇଛି । ଆଉ ଅନେକ ଫସିଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବିଲିଡିଂଟି ୧୦ ବର୍ଷ ପୁରୁଣା ବୋଲି କୁହାଯାଉଛି । ଏହି ଘଟଣାକୁ ନେଇ ଯାଞ୍ଚ ଜାରି ରହିଛି ।

ସୂଚନାଯୋଗ୍ୟ, ଗୁଜରାଟ ସୁରଟରେ ଏକ ୬ ମହଲା ବିଲିଡିଂ ଭୁଶୁଡି ପଡିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଥିଲେ । ଘଟଣା ସ୍ଥଳରୁ ଉଦ୍ଧାରକାରୀ ଟିମ୍‌ ଭଗ୍ନାବଶେଷ ତଳୁ ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରାଯାଇଥିଲା ।