‘ମୋତେ ଡାଇବେଟିସ୍, ତଥାପି ଆଳୁ ଖାଇବାକୁ ଦେଉଛନ୍ତି…’, ବନ୍ଧୁକ ଉଠାଇଲେ ବାପା, ଆହତ ହେଲା ପୁଅ

ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଅବସରପ୍ରାପ୍ତ ସୈନିକ ନିଜ ଖାଦ୍ୟରେ ସବୁଜ ପରିବା ନ ପାଇବାରୁ ପୁଅ ଉପରକୁ ବନ୍ଧୁକ ଉଠାଇଥିଲେ । ହେଲେ ବନ୍ଧୁକ ଉଠାଇବା ବେଳେ ଭୁଲ୍ ବଶତଃ ଟ୍ରିଗର୍ ଚାପି ହୋଇଯିବାରୁ ବନ୍ଧୁକରୁ ଗୁଳି ବାହାରି ଯାଇଥିଲା, ଯାହାକି ତାଙ୍କ ପୁଅ ଦେହରେ ବାଜିଥିଲା । ଏଥିରେ ପୁଅ ଆହତ ହୋଇଛି ।

ଅବସରପ୍ରାପ୍ତ ସୈନିକ ନିଜେ ପୁଅକୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ । କିନ୍ତୁ ଖବର ପାଇ ପୋଲିସ ଟିମ୍ ପହଞ୍ଚି ତାଙ୍କୁ ଗିରଫ କରି ନେଇଥିଲା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ବାପାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହା ସହିତ ବନ୍ଧୁକ ଲାଇସେନ୍ସକୁ ବାତିଲ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ପୋଲିସ ସୂଚନା ମୁତାବକ, ସିରୋଲ ଥାନା ଅଧୀନ ହୁରାଭଲିର ନିବାସୀ ଶ୍ରୀକୃଷ୍ଣ ପାଲ (୬୧) ଜଣେ ଅବସରପ୍ରାପ୍ତ ସେନା ଯବାନ । ସେ ତାଙ୍କ ପୁଅ ନରେନ୍ଦ୍ର ସିଂଙ୍କ ସହ ରୁହନ୍ତି । ଘଟଣା ଦିନ ସେ ଖାଇବା ପାଇଁ ଘରେ ବସିଥିବା ବେଳେ ତାଙ୍କୁ ଆଳୁ ତରକାରୀ ବାଢ଼ି ଦିଆଯାଇଥିଲା । ହେଲେ ଏହାକୁ ଦେଖି ସେ ରାଗି ଯାଇଥିଲେ ।

ଶ୍ରୀକୃଷ୍ଣ ସବୁଜ ପରିବା ଖାଇବେ ବୋଲି କହି ନିଜର ଲାଇସେନ୍ସପ୍ରାପ୍ତ ବନ୍ଧୁକ ଉଠାଇଥିଲେ । ବନ୍ଧୁକ ଉଠାଇଥିବା ବେଳେ ଭୁଲ୍ ବଶତଃ ଏହାର ଟ୍ରିଗର ଚାପି ହୋଇଯାଇଥିଲା, ଫଳରେ ଏଥିରୁ ଗୁଳି ବାହାରି ଚଟାଣରେ ପଡ଼ିଥିଲା । କିନ୍ତୁ ଏହାର ଏକ ଆଇରନ୍ ଖଣ୍ଡ ପାଖରେ ଠିଆ ହୋଇଥିବା ପୁଅ ନରେନ୍ଦ୍ରଙ୍କ ଦେହରେ ବାଜିଥିଲା ।

ପୁଅ ଆହତ ହେବାରୁ ଶ୍ରୀକୃଷ୍ଣ ତାଙ୍କୁ ନିଜେ ଡାକ୍ତରଖାନା ନେଇଯାଇଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ପଡୋଶୀଙ୍କଠାରୁ ଖବର ପାଇ ପୋଲିସ ସେଠାରେ ପହଞ୍ଚିଯାଇଥିଲା ।

ପୋଲିସ ଟିମ୍ ଡାକ୍ତରଖାନାରେ ପହଞ୍ଚି ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି । ପଚରାଉଚରା ବେଳେ ସେ କହିଛନ୍ତି ଯେ ତାଙ୍କୁ ଡାଇବେଟିସ୍, ଏହା ପରେ ବି ତାଙ୍କୁ ଅଧିକ ଆଳୁ ଖାଇବାକୁ ଦିଆଯାଉଛି । ସବୁଜ ପନିପରିବା ଦିଆଯାଉ ନାହିଁ । ସବୁଜ ପରିବା ନଷ୍ଟ କରି ଅଧା ଡଷ୍ଟବିନରେ ପକାଯାଉଛି ।

ସେପଟେ ଆହତ ପୁଅ ତାଙ୍କ ବାପାଙ୍କ ବିରୋଧରେ କୌଣସି ରିପୋର୍ଟ କରିବାକୁ ଚାହୁଁ ନ ଥିଲେ । କିନ୍ତୁ ବନ୍ଧୁକରୁ ଗୁଳି ଚାଳନା ହୋଇଥିବାରୁ ପୋଲିସ ଅବସରପ୍ରାପ୍ତ ଯବାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।