ନିର୍ମାଣାଧୀନ କଲଭର୍ଟ ମଧ୍ୟରେ ପଶିଗଲା ସ୍କୁଲ ବସ୍, ଶିକ୍ଷକ ମୃତ, ୧୫ରୁ ଅଧିକ ଛାତ୍ରଛାତ୍ରୀ ଆହତ

ରାଜସ୍ଥାନର ଜୟପୁରରେ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାର ଶିକାର ହୋଇଛି । ଜୟପୁରର ଚୋମୁରେ ଏହି ବସ୍ ଏଠାରେ ଏକ ନିର୍ମାଣାଧୀନ କଲଭର୍ଟ ମଧ୍ୟରେ ପଶିଯାଇଛି । ଦୁର୍ଘଟଣାରେ ୧୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ବସରେ ଥିବା ଜଣେ ଶିକ୍ଷକଙ୍କର ମୃତ୍ୟୁ ଘଟିଛି । ଚୋମୁ ନଗର ପରିଷଦ ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

୫୨ ନମ୍ବର ଜାତୀୟ ରାଜପଥର ଭୋଜଲାୱା କଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ବସଟି ଏହି ରାସ୍ତା ଦେଇ ଯାଉଥିବା ବେଳେ ହଠାତ୍ ଏହାର ବ୍ରେକ୍ ଫେଲ୍ ହୋଇଯାଇଥିଲା । ଫଳରେ ଏହା ଏକ ନିର୍ମାଣାଧୀନ କଲଭର୍ଟ ମଧ୍ୟରେ ପଶିଯାଇଥିଲା । ବସରେ ପାଖାପାଖି ୩୦ରୁ ୩୫ ପିଲା ଥିଲେ ।

ଚୋମୁ ଥାନା ଅଧିକାରୀ ପ୍ରଦୀପ ଶର୍ମା କହିଛନ୍ତି, କଲଭର୍ଟ ସହ ଧକ୍କା ହେବା ପରେ ବସରେ ଥିବା ଜଣେ ଶିକ୍ଷକ ପଦାକୁ ବାହାରି ଆସି ତଳେ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ଆହତମାନଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନା ନିଆଯାଇଛି । ସେଠାରେ କିଛି ଛାତ୍ରଛାତ୍ରୀ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ ହୋଇଥିବା ବେଳେ ଆଉ କିଛି ଚିକିତ୍ସିତ ହେଉଛନ୍ତି ।

ଦୁର୍ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ଗତ ଅନେକ ଦିନରୁ ଚୋମୁ ଅଞ୍ଚଳରେ ଜରାଜୀର୍ଣ୍ଣ ବସଗୁଡ଼ିକୁ ସ୍କୁଲ ମଧ୍ୟରେ ଚଲାଯାଉଛି । ଏହାଦ୍ୱାରା ଦୁର୍ଘଟଣା ବଢ଼ିବାର ଆଶଙ୍କା ରହିଛି । ରାଜ୍ୟ ପରିବହନ ବିଭାଗ ନା ଏଥିପ୍ରତି ଧ୍ୟାନ ଦେଉଛି ନା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ଲୋକମାନଙ୍କ କହିବା ହେଲା, ବର୍ତ୍ତମାନ ସ୍କୁଲ ଛୁଟି ଘୋଷଣା ଥିବାବେଳେ ବିଦ୍ୟାଳୟଗୁଡ଼ିକ କାହିଁକି ଖୋଲୁଛି ଏବଂ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ । ବର୍ତ୍ତମାନ ରାଜସ୍ଥାନ ଶିକ୍ଷା ବିଭାଗରେ ଶୀତକାଳୀନ ଅବକାଶ ଚାଲିଛି । ଏହାସତ୍ତ୍ୱେ ଚୋମୁରେ ପାଖାପାଖି ୯୦ ପ୍ରତିଶତରୁ ଅଧିକ ବିଦ୍ୟାଳୟ ଚାଲୁ ରହିଛି ।