ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବସ୍‌ ଓଲଟିଲା, ଜଣେ ଯାତ୍ରୀ ମୃତ; ୨୪ରୁ ଅଧିକ ଆହତ

ମଧ୍ୟ ପ୍ରଦେଶର କଟନୀ ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ବସ୍‌ରେ ଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣା ଘଟିଛି ଉମରିଆପାନ୍‌ ଥାନା ଅଧୀନ ପକରିଆ ଗାଁରେ। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ଯାତ୍ରୀଙ୍କୁ ଜବଲପୁର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରି ଦିଆଯାଇଛି।

ସୂଚନା ମୁତାବକ, ବସ୍‌ ଜବଲପୁରରୁ ଶହଡୋଲ ଯାଉଥିବା ବେଳେ ପକରିଆ ଗାଁ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏହି ବସ୍‌ ଯାତ୍ରୀମାନଙ୍କୁ ନେଇ ଶହଡୋଲ ଅଭିମୁଖେ ଯାତ୍ରା କରୁଥିଲା। ସକାଳ ପ୍ରାୟ ୮ଟାରେ ଏହି ଦୁର୍ଘଟଣା ଘଟିଥିଲା। ଡ୍ରାଇଭର ଜଣକ ଗାଡ଼ି ଉପରୁ ହଠାତ୍‌ ନିୟନ୍ତ୍ରଣ ହରାଇ ବସିବାରୁ ତାହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। କୁହାଯାଉଛି କି, ବସ୍‌ରେ ସମୁଦାୟ ୩୦ ଜଣ ଯାତ୍ରୀ ଥିଲେ।

ପୋଲିସ କହିଛି, ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଥିଲା। ଏଥିସହ ମୃତ ଯାତ୍ରୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.