ତାମିଲନାଡ଼ୁ: କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ ରାସ୍ତାରେ ଓଲଟିଲା, ୨ ମୃତ, ୨୧ ଆହତ

ତାମିଲନାଡ଼ୁର ତିରୁପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ୍ ରାସ୍ତାରେ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । ବସଟି ଛାତ୍ରଛାତ୍ରୀଙ୍କୁ ଇରୋଡ୍ ନେଇ ଯାଉଥିବା ବେଳେ ସେଙ୍ଗମପଲ୍ଲି ନିକଟରେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଘରୋଇ ବସଟି ଏକ ମାଲବାହୀ ଟ୍ରକକୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିବା ବେଳେ ଡ୍ରାଇଭର ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲେ, ଯାହାଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଥିଲା । ଏଥିରେ ଇରୋଡର ଏକ କଲେଜର ଦୁଇ ଛାତ୍ରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଅନ୍ୟ ୨୧ ଜଣଙ୍କୁ ଚିକିତ୍ସା ପଇଁ ପେରୁନଥୁରାଇ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲା ଏସପି ଗିରିଶ କୁମାର ଯାଦବ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏ ନେଇ ଉଥୁକୁଲି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହିପରି ଗତକାଲି ରାଜସ୍ଥାନ ଜୟପୁରରେ ମଧ୍ୟ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଏକ ପ୍ରାଇଭେଟ୍ ସ୍କୁଲ ବସ୍ ଅନିୟନ୍ତ୍ରିତ ହୋଇ ଓଲଟି ପଡ଼ିଥିଲା । ଏହି ଦୁଘର୍ଟଣାରେ ଜଣେ ଛାତ୍ରର ଜୀବନ ଚାଲିଯାଇଥିବା ବେଳେ ଅନେକ ଛାତ୍ର ଆହତ ହୋଇଥିଲେ । ବସରେ ମୋଟ ୪୦ ଜଣ ପିଲା ଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।

୪୦ରୁ ଅଧିକ ପିଲା ଥିବା ଏହି ସ୍କୁଲ ବସ୍ ଅନିୟନ୍ତ୍ରିତ ହୋଇ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା । ବସ୍ ଜୟପୁରର ଚୌମୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ପିଲାମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ।

ଏହି ଘଟଣାକୁ ନେଇ ଲୋକେ ରାସ୍ତାରୋକୋ କରିଥିଲେ । ତେବେ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଜୟପୁର : ଓଲଟିଲା ସ୍କୁଲ ବସ୍, ଜଣେ ପିଲା ମୃତ, ଅନେକ ଆହତ