ଘନ କୁହୁଡି ଯୋଗୁଁ ଟ୍ରକକୁ ପିଟିଲା ବସ୍, ୪୫ ଆହତ, ୪ ଗୁରୁତର

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଅତିକମରେ ୪୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ରାଜସ୍ଥାନ ଦଉସା ଜିଲ୍ଲାର ନାଙ୍ଗଲ ରାଜାବତାନ ଥାନା ଅଞ୍ଚଳରେ ଏକ ଟ୍ରେଲର ସହିତ ବସ୍ ଧକ୍କା ହୋଇଥିଲା । ଗୁରୁତର ଆହତଙ୍କୁ ଜୟପୁର ରେଫର କରାଯାଇଛି । ସେହିପରି କିଛି ଆହତଙ୍କୁ ନୋଏଡା ଏବଂ ଦିଲ୍ଲୀକୁ ଚିକିତ୍ସା ପାଇଁ ପଠାଯାଇଛି ।

ଖବର ମୁତାବକ, ରାଜସ୍ଥାନ ଦଉସା ଜିଲ୍ଲାର ନାଙ୍ଗଲ ରାଜାବତାନ ଥାନା ଅଞ୍ଚଳର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଉଜ୍ଜୈନରୁ ଦିଲ୍ଲୀ ଯାଉଥିବା ରାସ୍ତାରେ ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଛି । ପ୍ରଥମେ ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଟ୍ରେଲର । ଏହି ଦୁଇଟି ଗାଡି ଧକ୍କା ହେବା ପରେ ବସ୍ ପଛରୁ ଆସି ଧକ୍କା ଦେଇଥିଲା । ଏହି ଘଟଣାରେ ବସ୍ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ଥିବା ୪୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ସମୟରେ ଯାତ୍ରୀମାନ ଶୋଇଥିଲେ ।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ହସପିଟାଲ ନେଇଥିଲା । ଗୁରୁତର ଆହତଙ୍କୁ ଜୟପୁର ରେଫର କରାଯାଇଛି । ୨୦ ଜଣ ଯାତ୍ରୀଙ୍କୁ ଦଉସା ଜିଲ୍ଲାରେ ହସପିଟାଲ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣଙ୍କୁ ଜୟପୁର ରେଫର କରାଯାଇଛି । ଅନ୍ୟ ଆହତଙ୍କୁ ନୋଏଡା ଏବଂ ଦିଲ୍ଲୀ ଚିକିତ୍ସା ପାଇଁ ପଠାଯାଇଛି ।

ସୂଚନାଯୋଗ୍ୟ, ଦିଲ୍ଲୀ-ଆଗ୍ରା ଜାତୀୟ ରାଜପଥରେ ଡିସିଏମ୍ ଟ୍ରକ୍ ଓ ଇଟା ବୋଝେଇ ଟ୍ରକ୍ ମଧ୍ୟରେ ଭୀଷଣ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ରବିବାର ସକାଳ ପ୍ରାୟ ୬ଟାରେ ଛାତା ସୁଗାର ମିଲ୍ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିଲା । ମଥୁରା ନିକଟରେ ଇଟା ବୋଝେଇ ଟ୍ରକକୁ ଡିସିଏମ୍ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ପରେ ଜାତୀୟ ରାଜପଥରେ ପ୍ରାୟ ଅଧ ଘଣ୍ଟା ଯାଏ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା । ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ କ୍ରେନ୍ ସାହାଯ୍ୟରେ ରାସ୍ତା କଡ଼କୁ ନେବା ପରେ ଗାଡ଼ିମୋଟର ଚଳାଚଳ ସ୍ୱାଭାବିକ ହୋଇଥିଲା ।

ତେବେ ଏବେ ସମଗ୍ର ଦେଶରେ ପ୍ରବଳ ଥଣ୍ଡା ଜାରି ରହିଛି । ତେଣୁ ଘନ କୁହୁଡି ଯୋଗୁଁ ଅନେକ ଦୁର୍ଘଟଣା ଘଟୁଛି । ଅଧିକାଂଶ ଗାଡି ଜାତୀୟ ରାଜପଥରେ ଦ୍ରୁତଗତିରେ ଯାଉଥିବା ଯୋଗୁଁ କୁହୁଡିରେ ଦେଖି ନ ପାରି ପରସ୍ପର ସହିତ ଧକ୍କା ହେଉଛନ୍ତି । ଫଳରେ ଅକାଳରେ ଅନେକ ଜୀବନ ଚାଲିଯାଉଛି ।