କାରରୁ ଯୁବତୀଙ୍କୁ ଧକ୍କା ଦେଇ ତଡ଼ି ଦେଲେ କ୍ୟାବ୍‌ ଚାଳକ, ଛଡ଼ାଇ ନେଲେ ୪୩ ହଜାର ଟଙ୍କା

କ୍ୟାବ୍‌ ବୁକ୍‌ କରୁଥିଲେ ସାବଧାନ୍‌। କେତେବେଳେ ବି ହୋଇପାରନ୍ତି ଲୁଟ୍‌ର ଶିକାର। ନିକଟରେ ଜଣେ କ୍ୟାବ୍‌ ଡ୍ରାଇଭର ଯାତ୍ରୀଙ୍କୁ ଗାଡ଼ିରୁ ଧକ୍କା ଦେଇ ଟଙ୍କା ନେଇ ଯାଇଥିବା ଭଳି ସଙ୍ଗୀନ୍‌ ଅଭିଯୋଗ ଆଣିଛନ୍ତି ଜଣେ ବିଦେଶୀ ମହିଳା ଯାତ୍ରୀ। ନୋଏଡାରୁ ଆସିଛି ଏଭଳି ଅଭିଯୋଗ।

ବିଦେଶୀ ଯୁବତୀଙ୍କୁ ରାତି ଅଧରେ ରାସ୍ତା ମଝିରେ ଗାଡ଼ିରୁ ତଡ଼ି ଦେବା ସହ ତାଙ୍କ ଠାରୁ ୪୩ ହଜାର ଟଙ୍କା ଛଡ଼ାଇ ନେଇଛନ୍ତି କ୍ୟାବ୍‌ ଡ୍ରାଇଭର। ଏନେଇ ଯୁବତୀ ଜଣକ ନୋଏଡ଼ାର ନଲେଜ୍‌ ପାର୍କ ଥାନାରେ ମାମଲା ରୁଜୁ କରିଛନ୍ତି। ପୋଲିସ ଏବେ ଏହି ଘଟଣା ବାବଦରେ ତଦନ୍ତ ଆରମ୍ଭ କରିଛି।

ଘଟଣା ସମ୍ପର୍କରେ ନୋଏଡା ଜୋନ୍‌ ୩ର ପୋଲିସ୍‌ ଉପାୟୁକ୍ତ ରାଜେଶ କୁମାର ସିଂହ କହିଛନ୍ତି, ନଲେଜ୍‌ ପାର୍କ-୩ ସ୍ଥିତ ଏକ ହୋଟେଲରେ କେନିଆର ନାଗରିକ ଷ୍ଟେଲା ରୁକି ରହୁଥିଲେ। ସେ ଦିଲ୍ଲୀ ଯିବା ପାଇଁ ଏକ କ୍ୟାବ୍‌ ବୁକ୍‌ କରିଥିଲେ। କ୍ୟାବ୍‌ ଚାଳକ କିଛି ବାଟ ଯିବା ପରେ ଏକ ସ୍ଥାନରେ ଅଟକି କ୍ୟାବ୍‌ରେ ଗ୍ୟାସ୍‌ ଭର୍ତ୍ତି କରିଥିଲେ। ଏହା ପରେ ନୋଏଡା ଏକ୍ସପ୍ରେସ୍‌ ୱେରେ କାର ଖରାପ ହୋଇଗଲା କହି ଅଟକାଇଥିଲେ ଓ ଯୁବତୀଙ୍କୁ କାରରୁ ଧକ୍କା ଦେଇ କାରକୁ ବାହାର କରିଦେଇଥିଲେ। ଏଥିସହ ତାଙ୍କ ଠାରୁ ୪୩ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏହି ଘଟଣାରେ ଯୁବତୀଙ୍କୁ ଆଘାତ ମଧ୍ୟ ଲାଗିଛି। ଅଭିଯୋଗ ପରେ ପୋଲିସ ଏବେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Leave A Reply

Your email address will not be published.