ଚାଷୀଙ୍କୁ ଦୀପାବଳି ଗିଫ୍ଟ…, ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ ବଢ଼ାଇଲେ କେନ୍ଦ୍ର ସରକାର

ଦେଶର ଚାଷୀଙ୍କୁ ଦୀପାବଳି ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ବୁଧବାର ହୋଇଥିବା କ୍ୟାବିନେଟ୍‌ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୩% ମହଙ୍ଗା ଭତ୍ତା ବଢ଼ାଯାଇଥିବା ବେଳେ ଚାଷୀମାନଙ୍କୁ ମଧ୍ୟ ଦିଓ୍ୱାଲି ଭେଟି ଦେଇଛନ୍ତି ସରକାର ।

ରବି ଋତୁ ଫସଲ ପାଇଁ କେନ୍ଦ୍ର ସରକାର ସର୍ବନିମ୍ନ ସହାୟତା ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି । ଏଥିରେ ଗହମ ଫସଲରେ କୁଇଣ୍ଟାଇ ପିଛା ୧୫୦ ଟଙ୍କା, ସୋରିଷ ଫସଲରେ କୁଇଣ୍ଟାଲ ପିଛା ୩୦୦ ଟଙ୍କା ବୃଦ୍ଧି କରାଯାଇଛି । ରିପୋର୍ଟ ମୁତାବକ, ମାର୍କେଟିଙ୍ଗ ସିଜନ ୨୦୨୫-୨୬ ପାଇଁ ସରକାର ରବି ଫସଲର ନୂତନ ଏମ୍‌ଏସ୍‌ପି ସ୍ଥିର କରିଛନ୍ତି ।

ଗହମର ଏମ୍‌ଏସ୍‌ପି କୁଇଣ୍ଟାଇ ପିଛା ୧୫୦ ଟଙ୍କା ବଢ଼ାଇ ୨,୪୨୫ ଟଙ୍କା କରାଯାଇଛି, ଯାହାକି ଏ ପର୍ଯ୍ୟନ୍ତ ୨,୨୭୫ ଟଙ୍କା ଥିଲା । ଏହିପରି ସୋରିଷର ଏମ୍‌ଏସ୍‌ପି ୩୦୦ ଟଙ୍କା ବଢ଼ାଯାଇଛି । ବର୍ତ୍ତମାନ ସୋରିଷ କୁଇଣ୍ଟାଇ ପିଛା ୫,୬୫୦ରୁ ବଢ଼ି ୫,୯୫୦ ଟଙ୍କା ହୋଇଛି ।

ଏହା ବ୍ୟତୀତ ଚଣାର ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୨୧୦ ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହାର ନୂତନ ମୂଲ୍ୟ ବର୍ତ୍ତମାନ ୫,୬୫୦ ଟଙ୍କା ହୋଇଛି । ପୂର୍ବରୁ ଚଣା କୁଇଣ୍ଟାଲ ୫,୪୪୦ ଟଙ୍କା ଥିଲା । ସେହିପରି ମସୁର ଡାଲିର ଏମ୍‌ଏସ୍‌ପିରେ ୨୭୫ ଟଙ୍କା ବୃଦ୍ଧି କରାଯାଇଛି । ଏବେ ଏହା ୬,୪୨୫ ଟଙ୍କାରୁ ବଢ଼ି ୬,୭୦୦ ଟଙ୍କା ହୋଇଛି ।