‘ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା’କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ ପ୍ରତିଭାବାନ୍ ଛାତ୍ରଛାତ୍ରୀ

ଅର୍ଥର ଅଭାବ ଥିଲେ ଏଣିକି ଦେଶର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିବ ନାହିଁ । କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ‘ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା’ ଆରମ୍ଭ କରିଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନାକୁ ଅନୁମୋଦନ କରିଛି । ଏହା ମାଧ୍ୟମରେ ବାର୍ଷିକ ଦେଶର ପାଖାପାଖି ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଲାଭ ମିଳିବ । ଉଚ୍ଚ ଶିକ୍ଷା ପାଇଁ ଅର୍ଥର ସମସ୍ୟା ରହିବ ନାହିଁ ।

ଏହି ଯୋଜନା ପ୍ରତ୍ୟେକ ଯୋଗ୍ୟ ଯୁବ ଛାତ୍ରଛାତ୍ରୀଙ୍କୁ ଭଲ କଲେଜରେ ଆଡମିଶନର ଗ୍ୟାରେଣ୍ଟି ଦେବ । ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହଜରେ ଉପଲବ୍ଧ ହୋଇପାରିବ ।

ସରକାରୀ ବିଜ୍ଞପ୍ତି ଅନୁସାରେ, ଦେଶର ଶ୍ରେଷ୍ଠ ୮୬୦ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଡମିଶନ ନେଇଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଏଜୁକେସନ ଋଣ ଦିଆଯିବ, ଯାହା ଦ୍ୱାରା ବାର୍ଷିକ ୨୨ ଲକ୍ଷରୁ ଅଧିକ ପିଲା ଲାଭାନ୍ଵିତ ହେବେ । ଋଣ ପାଇଁ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଆବେଦନ କରିବାକୁ ହେବ । ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ କୌଣସି ବି ଗ୍ୟାରେଣ୍ଟରର ଆବଶ୍ୟକତା ପଡ଼ିବ ନାହିଁ । ଏପରି କି, ଋଣ ସୁଧରେ ମଧ୍ୟ ସବସିଡି ମିଳିବ ।

ସରକାରଙ୍କ ନିଷ୍ପତ୍ତି ଅନୁସାରେ, ୩% ସୁଧ ଛାଡ଼ ସହିତ ଛାତ୍ରଛାତ୍ରୀମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବେ । ଯେଉଁ ପରିବାରର ମୋଟ ଆୟ ୮ ଲକ୍ଷ ଟଙ୍କା କିମ୍ବା ଏହାଠାରୁ କମ୍, ସେହି ପରିବାରକୁ ଋଣ ପ୍ରଦାନ କରାଯିବ ।

You might also like