ସଂରକ୍ଷଣ ନେଇ କ୍ୟାବିନେଟର ବଡ଼ ଘୋଷଣା, ଏସସି-ଏସଟି କୋଟାରେ ବାଦ ପାଇଁ ନାହିଁ ସାମ୍ବିଧାନିକ ପ୍ରାବଧାନ

କଟକ /ନୂଆଦିଲ୍ଲୀ : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଭିତରେ ଥିବା ସ୍ୱଚ୍ଛଳ ବର୍ଗଙ୍କ ପାଇଁ ଅନ୍ୟ ଏକ କାଟାଗୋରୀ କ୍ରିମି ଲେୟାର ବ୍ୟବସ୍ଥା ରଖିବାକୁ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିବା ବେଳେ ଏହା ଅସାମ୍ବିଧାନିକ ବୋଲି କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି । ଡକ୍ଟର ବି ଆର ଆମ୍ବେଦକରଙ୍କ ପ୍ରଣୀତ ଭାରତୀୟ ସମ୍ବିଧାନରେ SC ଓ STଙ୍କ ଭିତରେ ଅନ୍ୟ ଏକ କାଟାଗୋରୀ କରିବାର ପ୍ରାବଧାନ ନଥିବା କ୍ୟାବିନେଟ କହିଛି । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ଏନଡିଏ ସରକାର ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନ ପ୍ରତି ପ୍ରତିବଦ୍ଧ ଓ ସଂକଳ୍ପବଦ୍ଧ। ସମ୍ବିଧାନରେ ଏସସି-ଏସଟି ମଧ୍ୟରେ କୌଣସି କ୍ରିମି ଲେୟାରର ପ୍ରାବଧାନ ନାହିଁ। ତେଣୁ କ୍ୟାବିନେଟ ସୁବିଚାର କରି ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଂରକ୍ଷଣ କରାଯିବ ବୋଲି ନିଷ୍ପତ୍ତି ନେଇଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଗତ ଏକ ତାରିଖରେ ଏକ ଐତିହାସିକ ରାୟରେ ସୁପ୍ରିମକୋର୍ଟ, ଅନୁସୂଚିତ ଜାତି ସଂରକ୍ଷଣରେ ସବ-କାଟାଗୋରୀ ବା ଉପବର୍ଗୀକରଣକୁ ଅନୁମତି ଦେଇଥିଲେ। ପ୍ରଧାନବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ବି.ଆର ଗଭାଇ, ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ବେଲା ଏମ ତ୍ରିବେଦୀ, ଜଷ୍ଟିସ ପଙ୍କଜ ମିଥଲ, ମନୋଜ ମିଶ୍ର ଓ ସତୀଶ ଚନ୍ଦ୍ର ଶର୍ମାଙ୍କ ୭ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଅନୁସୂଚିତ ଜାତି ଭିତରେ ସାମାଜିକ ସମାନତା ପାଇଁ ଉପବର୍ଗୀକରଣ କରାଯାଇପାରିବ । ଏହାଦ୍ବାରା ଅନୁସୂଚିତ ଜାତିରେ ଥିବା ଅଧିକ ପଛୁଆଙ୍କୁ ଭିନ୍ନ ସଂରକ୍ଷଣ ମିଳିପାରିବ । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ୬-୧ରେ ରାୟ ଶୁଣାଇଥିଲେ । ପ୍ରଧାନ ବିଚାରପତିଙ୍କ ସମେତ ଖଣ୍ଡପୀଠର ୬ ଜଣ ବିଚାରପତି ଏହାକୁ ସମର୍ଥନ କରିଥିଲେ ।

ଅନ୍ୟ ଜଣେ ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀ ଏଥିରେ ସହମତ ହୋଇନଥିଲେ । ସେହିପରି ଏସସି-ଏସଟି ସଂରକ୍ଷଣରୁ ସ୍ବଚ୍ଛଳ ବର୍ଗ ବା କ୍ରିମି ଲେୟାରକୁ ବାଦ୍ ଦେବା ପାଇଁ ୪ ଜଣ ବିଚାରପତି ମତ ରଖିଥିଲେ । ସେମାନେ ହେଲେ ବିଚାରପତି ବି.ଆର ଗଭାଇ, ବିଚାରପତି ବିକ୍ରମ ନାଥ, ବିଚାରପତି ପଙ୍କଜ ମିଥଲ ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା । ସ୍ବଚ୍ଛଳ ବର୍ଗକୁ ନେଇ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ମନୋଜ ମିଶ୍ର କୌଣସି ପ୍ରତିକ୍ରିୟା ରଖି ନଥିଲେ । ଜଷ୍ଟିସ ବେଲା ତ୍ରିବେଦୀ ସଂରକ୍ଷଣରେ ସଂରକ୍ଷଣ ବିରୋଧରେ ମତ ରଖିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.