ଶସ୍ତାରେ ରାଫେଲ ଚୁକ୍ତି କରିଛନ୍ତି ମୋଦି ସରକାର : ସିଏଜି ରିପୋର୍ଟ

ନୂଆଦିଲ୍ଲୀ : ଶସ୍ତାରେ ରାଫେଲ ଚୁକ୍ତି କରିଛନ୍ତି ମୋଦି ସରକାର। ମନମୋହନ ସିଂ ସରକାର ସମୟରେ ହୋଇଥିବା ଡିଲ୍‌ ଅପେକ୍ଷା ଏନଡ଼ିଏ ସରକାରଙ୍କ ଚୁକ୍ତି ୨.୮୬ ପ୍ରତିଶତ ଶସ୍ତା । ଏହାଦ୍ୱାରା ଦେଶର ୧୭.୦୮ ପ୍ରତିଶତ ଟଙ୍କା ସଞ୍ଚୟ ହୋଇ ପାରିଛି। ରାଜ୍ୟସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରୁ ଏହି ତଥ୍ୟ ସାମନାକୁ ଆସିଛି। ସିଏଜି ରିପୋର୍ଟରେ ଉଲ୍ଲେଖ ରହିଛି, ରାଫେଲ ଯୁଦ୍ଧ ବିମାନ ନିର୍ମାଣକାରୀ ଦାସଲ୍ଟ କମ୍ପାନୀକୁ ଏନଡ଼ିଏ ସରକାରଙ୍କ ଚୁକ୍ତିରୁ ଲାଭ ମିଳିଛି। ବିମାନ କିଣା ପାଇଁ ସମ୍ପୃକ୍ତ କମ୍ପାନୀକୁ କୌଣସି ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ପଡ଼ିନାହିଁ। ସେହିପରି ୨୦୦୭ ଓ ୨୦୧୬ ରାଫେଲ୍‌ ଡିଲକୁ ନେଇ ତୁଳନାତ୍ମକ ଚିତ୍ର ବି ଦେଖାଇଛନ୍ତି ସିଏଜି। ୨୦୦୭ ମସିହାରେ କେନ୍ଦ୍ରରେ ୟୁପିଏ ସରକାର ସମୟରେ ୧୨୬ଟି ରାଫେଲ ବିମାନ କିଣିବା ପାଇଁ ରାଜିନାମା ହୋଇଥିଲା।

ସେତେବେଳେ ହିନ୍ଦୁସ୍ତାନ ଏରୋନେଟିିକ୍‌ ଲିମିଟେଡ୍‌ ବା ହାଲକୁ ୧୦୮ଟି ରାଫେଲ ବିମାନର ଟ୍ରାନ୍ସଫର ଅଫ୍‌ ଟେକ୍ନୋଲୋଜି ଦେଇ ଥାଆନ୍ତା ଦାସୋଲ୍ଟ। କିନ୍ତୁ ୨୦୧୬ରେ ମୋଦି ସରକାର ୩୬ଟି ବିମାନ ପାଇଁ ଫ୍ରାନ୍ସ ସରକାରଙ୍କ ସହ ଚୁକ୍ତି କରିଥିଲେ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, କେନ୍ଦ୍ର ସରକାର କରିଥିବା ରାଜିନାମାରେ ନଥିଲା ଟ୍ରାନ୍ସଫର ଅଫ ଟେକ୍ନୋଲଜି ବ୍ୟବସ୍ଥା। ପୂର୍ବ ଚୁକ୍ତିରେ ଏହି ବ୍ୟବସ୍ଥା ଥିଲା। ଯାହାଦ୍ୱାରା ୧୮ଟି ବିମାନ ଦାସୋଲ୍ଟ ଦେଇ ଥାଆନ୍ତା ଓ ବାକି ୧୦୮ଟି ବିମାନର ନିର୍ମାଣକୁ ବିକଶିକ କରାଇ ଥାଆନ୍ତା ହାଲ୍‌। ଏବେ ସିଏଜି ରିପୋର୍ଟ ଆସିବା ପରେ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି। ଅରୁଣ ଜେଟଲୀ କହିଛନ୍ତି, ସତ୍ୟର ଜୟ ହୋଇଛି। ଧରାପଡ଼ିଛି କଂଗ୍ରେସର ମହାମିଛ ।

ଅନ୍ୟପଟେ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛି ସୋଭରେନ୍‌ ଗ୍ୟାରେଣ୍ଟି କଥା। ଫ୍ରାନ୍ସ ସରକାରଙ୍କ ବିନା ସୋଭରେନ୍‌ ଗ୍ୟାରେଣ୍ଟିରେ ୩୬ଟି ରାଫେଲ୍‌ ବିମାନ କିଣିବା ପାଇଁ କେନ୍ଦ୍ର ସରକାର ଚୁକ୍ତି କରିଥିଲେ। ଅର୍ଥାତ୍‌ ଚୁକ୍ତିରେ ଖିଲାପ ହୋଇଥିଲେ ଦାୟୀ ରହିବେ ନାହିଁ ଫ୍ରାନ୍ସ ସରକାର । ସେହିପରି ମୋଦି ସରକାରଙ୍କ ଚୁକ୍ତି ଅନୁସାରେ, ୭୧ ମାସ ଭିତରେ ଭାରତକୁ ମିଳିବ ରାଫେଲ୍‌ ବିମାନ। ପୂର୍ବ ସରକାରଙ୍କ ଚୁକ୍ତିରେ ଏହି ସମୟସୀମା ଥିଲା ୭୨ ମାସ। ସିଏଜି ରିପୋର୍ଟକୁ ଅସମ୍ପୂର୍ଣ୍ଣ କହିଛି କଂଗ୍ରେସ।

ସିଏଜି ରିପୋର୍ଟରେ ରାଫେଲ୍‌ ବିମାନର କୌଣସି ଦାମ୍‌ ଉଲ୍ଲେଖ କରାଯାଇ ନାହିଁ । ରାଫେଲ୍‌ ଡିଲ୍‌କୁ ନେଇ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୋରଦାର ହମଲା କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସିଏଜି ରିପୋର୍ଟ ବିବାଦକୁ ଭିନ୍ନ ମୋଡ଼ ଦେଇଥିବା ବେଳେ ନିର୍ବାଚନୀ ବର୍ଷରେ ଏହାର ପ୍ରଭାବକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।