‘ରୋଗୀଙ୍କୁ କ୍ଷମା ମାଗି ଅନ୍ୟତ୍ର ସ୍ଥାନାନ୍ତର କର ଓ ହସ୍ପିଟାଲକୁ ବନ୍ଦ କରିଦିଅ’, କଲିକତା ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ

ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଭଙ୍ଗାରୁଜା ମାମଲାରେ କଡ଼ା ଟିପ୍ପଣୀ କରିଛନ୍ତି କଲିକତା ହାଇକୋର୍ଟ । ଏହା ରାଜ୍ୟ ପ୍ରଶାସନର ସମ୍ପୂର୍ଣ୍ଣ ବିଫଳତା ବୋଲି ହାଇକୋର୍ଟ କହିଛନ୍ତି । ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ପୀଠ କହିଛନ୍ତି, ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଫୋର୍ସ ନିଜ ଲୋକଙ୍କୁ ହିଁ ସୁରକ୍ଷା ଦେଇପାରିଲା ନାହିଁ, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଡାକ୍ତରମାନେ ନିର୍ଭୟରେ କେମିତି କାମ କରିବେ?

ପୀଠ କହିଛନ୍ତି ଯେ ଏମିତି ଘଟଣାଗୁଡ଼ିକର ଖରାପ ପ୍ରଭାବ ଡାକ୍ତର ଏବଂ ହସ୍ପିଟାଲ କର୍ମଚାରୀମାନଙ୍କ ଉପରେ ପଡ଼ିଥାଏ । ଡାକ୍ତରଙ୍କ ସମେତ ପୂରା ମେଡିକାଲ ଷ୍ଟାଫ୍‌ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ରୋଗୀଙ୍କୁ କ୍ଷମା ମାଗି ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିଦିଅନ୍ତୁ ଏବଂ ଆର୍‌ଜି କର ହସ୍ପିଟାଲକୁ ବନ୍ଦ କରିଦିଅନ୍ତୁ ।

ସାଧାରଣତଃ ଲୋକମାନେ ଯଦି ହସ୍ପିଟାଲ ଭିତରେ ପଶନ୍ତି, ଜରୁରୀକାଳୀନ ସ୍ଥିତିରେ ପୋଲିସକୁ ସେଠାରେ ରହିବାକୁ ପଡ଼ିଥାଏ । ଯଦି ୭୦୦୦ ଲୋକ ଧସେଇ ପଶୁଛନ୍ତି, ତେବେ ଏହା ରାଜ୍ୟ ସରକାରଙ୍କ ବିଫଳତା ନୁହେଁ ବୋଲି କହିହେବ ନାହିଁ । ଯଦି ୭୦୦୦ ଲୋକ ଏକାଠି ହୋଇଛନ୍ତି, ଏହା ପ୍ରଶାସନର ୧୦୦ ପ୍ରତିଶତ ବିଫଳତା । ୧୫ ଲୋକ ପଶିଲେ ଆମେ ବୁଝିପାରିବା ସୁରକ୍ଷାରେ ତ୍ରୁଟି ହୋଇଛି । ତେଣୁ ଏହା ରାଜ୍ୟ କଳର ସମ୍ପୂର୍ଣ୍ଣ ବିଫଳତାର ପ୍ରମାଣ ।

କୋର୍ଟ ଆହୁରି କହିଛନ୍ତି, ୭୦୦୦ ଲୋକ ଏକାଠି ହେଲେ ପୋଲିସ କିପରି ଜାଣିପାରିଲା ନାହିଁ? କାହିଁକି ୧୪୪ ଧାରା ଲାଗୁ କରାଗଲା ନାହିଁ ? କାହିଁକି ଲୋକଙ୍କୁ ନିୟନ୍ତ୍ରଣ କରାଯାଇ ନ ଥିଲା? ଏହି ଘଟଣା ସାଧାରଣ ଜନତାଙ୍କ ଭରସା ଓ ବିଶ୍ୱାସ ଭାଙ୍ଗି ଦେଇଛି ବୋଲି ହାଇକୋର୍ଟ କହିଛନ୍ତି ।

ଅଗଷ୍ଟ ୧୫ ତାରିଖ ପୂର୍ବ ରାତିରେ ହଜାର ହଜାର ଲୋକ ଆର୍‌ଜି କର ହସ୍ପିଟାଲ ଭିତରକୁ ଧସେଇ ପଶିଥିଲେ ଏବଂ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ୧୯ ଜଣଙ୍କୁ କୋଲକାତା ପୋଲିସ ଗିରଫ କରିଛି ।

You might also like