ଏଲଏସି ଉତ୍ତେଜନା ହ୍ରାସ ପାଇଁ ମସ୍କୋ ଫିଟାଇବକି ବାଟ ? 

ଏଲଏସି ଉତ୍ତେଜନା ହ୍ରାସ ପାଇଁ ମସ୍କୋ ଫିଟାଇବକି ବାଟ ? ଚଳିତ ସପ୍ତାହରେ ରହିଛି SCO ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା। ଯୋଗ ଦେବେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ଚୀନ୍‌ ବିଦେଶ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵି । ଦୁଇ ନେତାଙ୍କ କଥାବାର୍ତ୍ତା ଉପରେ ରହିଛି ନଜର ।

ପ୍ରତିରକ୍ଷା ପରେ ବୈଦେଶିକ ମନ୍ତ୍ରୀ ସ୍ତରୀୟ ଆଲୋଚନା। ମସ୍କୋରେ ଭେଟାଭେଟି ହେବେ ଏସ. ଜୟଶଙ୍କର ଓ ତାଙ୍କ ଚୀନ୍‌ ପ୍ରତିପକ୍ଷ ଓ୍ଵାଙ୍ଗ ୟି। ଚଳିତ ସପ୍ତାହରେ ରହିଛି SCO ର ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା। ଏଲଏସି ସ୍ଥିତିକୁ ନେଇ କଥା ହେବେ ଦୁଇ ନେତା। ଏଥିରୁ ସମାଧାନର ବାଟ ବାହାରିବା ଆଶା କରାଯାଉଛି। ଏହି ଆଲୋଚନା ଉପରେ ରହିଛି ନୂଆଦିଲ୍ଲୀର ନଜର । ଶୁକ୍ରବାର ଏସ୍‌ସିଓ ଅବସରରେ ଚୀନ୍‌ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ େଓ୍ଵଇ ଫେଙ୍ଗଙ୍କୁ ଭେଟିଥିଲେ ରାଜନାଥ ସିଂ। ଏହି ଆଲୋଚନା ପାଇଁ ବେଜିଂ ଆଗ୍ରହ ଦେଖାଇଥିଲା । ତେବେ ଆଲୋଚନା ପରେ ପରସ୍ପର ବିରୋଧୀ ମନ୍ତବ୍ୟ ଦେଇଥିଲେ ଦୁଇ ଦେଶ । ଏଲଏସି ସ୍ଥିତି ପାଇଁ ଚୀନ୍‌ର ଚୁକ୍ତି ଉଲଂଘନକୁ ଭାରତ ଦାୟୀ କରିଥିବା ବେଳେ ଭାରତକୁ ସଂପୂର୍ଣ୍ଣ ଦାୟୀ ବୋଲି ଚୀନ୍‌ ବୟାନ ଦେଇଥିଲା । ଏବେ ବେଜିଂର ପରବର୍ତ୍ତୀ ପଦକ୍ଷେପ ଉପର ନଜର ରହିଛି।

ପାଙ୍ଗଙ୍ଗ ସୁ ବ୍ଳାକ୍‌ ଟପ୍‌କୁ ଭାରତ କବ୍‌ଜା କରିବା ପରେ ଆଲୋଚନା ପାଇଁ ଚୀନ୍‌ ତତ୍ପରତା ପ୍ରକାଶ କରିଥିବା କୁହାଯାଉଛି । କାରଣ ବ୍ଳାକ୍‌ଟପ୍‌ ଦଖଲ ପରେ ଭାରତୀୟ ସେନାର ପଲ୍ଲା ଭାରି ହୋଇଛି । ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନାକୁ ଏହା ପ୍ରଭାବିତ କରିପାରେ । ଲଦାଖରେ ଦୁଇ ସେନା ମୁହାଁମୁହିଁ ସ୍ଥିତିରେ ରହିବା ଏବଂ ଜୁନ୍‌ର ରକ୍ତାକ୍ତ ସଂଘର୍ଷ ପରଠାରୁ କେବଳ ସାମରିକ ସ୍ତରୀୟ ଏବଂ କୁଟନୈତିକ ସ୍ତରୀୟ ଆଲୋଚନା ଜାରି ରହିଥିଲା। ବୈଦେଶିକ ମନ୍ତ୍ରୀ ଓ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଆଲୋଚନା ମଧ୍ୟ ଭିଡିଓ କନଫରେନ୍‌ସିଂରେ ହୋଇଥିଲା। ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ମୁହାଁମୁହିଁ ଆଲୋଚନା ପରେ ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.