ନକଲି ଭିସା ଯୋଗୁ କାନଡାରେ ଭାରତୀୟ ଛାତ୍ରଙ୍କ ହୀନସ୍ଥା, ୭୦୦ ଛାତ୍ରଙ୍କୁ ବହିସ୍କାର ନୋଟିସ ଦେଲେ କାନଡା ସରକାର

କାନଡା ସୀମା ସୁରକ୍ଷା ଏଜେନ୍ସୀ ପ୍ରାୟ ୭୦୦ ଭାରତୀୟ ଛାତ୍ରଙ୍କୁ ବହିସ୍କାର ନୋଟିସ ପଠାଇଥିବା ଜଣାଯାଇଛି । ଏହି ଛାତ୍ର ମାନଙ୍କର ଆଡମିଶନ ଅଫର ଲେଟର ସବୁ ନକଲି ଜଣାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜଣାଯାଇଛି ।

ଚଣ୍ଡୀଗଡ଼ : କାନଡା ସୀମା ସୁରକ୍ଷା ଏଜେନ୍ସୀ ପ୍ରାୟ ୭୦୦ ଭାରତୀୟ ଛାତ୍ରଙ୍କୁ ବହିସ୍କାର ନୋଟିସ ପଠାଇଥିବା ଜଣାଯାଇଛି । ଏହି ଛାତ୍ର ମାନଙ୍କର ଆଡମିଶନ ଅଫର ଲେଟର ସବୁ ନକଲି ଜଣାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜଣାଯାଇଛି । ଟରୋଣ୍ଟୋରୁ ଚମନ ସିଂହ ବଟ୍ଟ ଇଣ୍ଡିଆନାରେଟିଭ ଡଟ୍‌ କମ୍‌ କୁ ଫୋନ ଯୋଗେ କହିଛନ୍ତି, ଯୁକ୍ତ ୨ ପାସ୍‌ କରିବା ପରେ ପ୍ରାୟ ୭୦୦ ଭାରତୀୟ ଛାତ୍ର ଭିସା ଜଳନ୍ଧର ଏଜୁକେସନ ମାଇଗ୍ରେସନ ସର୍ଭିସ ଦ୍ୱାରା ବ୍ରିଜେଶ ମିଶ୍ର ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ ।

ଏହି ଭିସା ସବୁ ୨୦୧୮ରେ ଆବେଦନ କରାଯାଇଥିଲା ଓ ଏହାର କାର୍ଯ୍ୟକାଳ ୨୦୨୨ ଯାଏ ଥିଲା । କାନଡାର ଏକ ପ୍ରମୁଖ ଶିକ୍ଷା ପ୍ରତିଷ୍ଠାନରେ ଆଡମିଶନ ସହ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଉକ୍ତ ମିଶ୍ର ଛାତ୍ର ପିଛା ୧୬ ରୁ ୨୦ ଲକ୍ଷ ଟଙ୍କା ଲେଖାଏଁ ନେଇଥିଲେ । ତେବେ ବିମାନ ଟିକେଟ ଓ ସିକ୍ୟୁରିଟି ଡିପୋଜିଟ ଟଙ୍କା ଏଜେଣ୍ଟକୁ ଦିଆ ଯାଇ ନଥିଲା ।

ଛାତ୍ରମାନେ ଟରୋଣ୍ଟୋରେ ପହଞ୍ଚିବା ପରେ ହମ୍ବର କଲେଜ ଯିବା ବାଟରେ ମିଶ୍ର ଟେଲିଫୋନ ଯୋଗେ କହିଥିଲେ, ସବୁ କୋର୍ସରେ ସିଟ ପୁରଣ ହୋଇଯାଇଛି ତେବେ ସେମାନଙ୍କୁ ୬ମାସ ପରେ ସେମିଷ୍ଟର ଆରମ୍ଭରେ ଯାଇ ଆଡମିଶନ ମିଳିପାରିବ । ତେଣୁ ୬ ମାସ ଯାଏ ଅପେକ୍ଷା କରିବାକୁ ପଡିବ କିମ୍ବା ଅନ୍ୟ କଲେଜରେ ଆଡମିଶନ ନେଇପାରିବେ । ଏହାପରେ ମିଶ୍ର ହମ୍ବର କଲେଜର ଫି ଛାତ୍ରଙ୍କୁ ଫେରାଇ ଦେଇଥିଲେ । ମିଶ୍ରଙ୍କୁ ସଚ୍ଚୋଟ ଭାବି ଛାତ୍ରମାନେ ଅନ୍ୟ କଲେଜରେ ୨ ବର୍ଷର ଡିପ୍ଲୋମା କୋର୍ସରେ ନାମ ଲେଖାଇ ଥିଲେ ।

କୋର୍ସ ସରିବା ପରେ ଛାତ୍ରମାନେ କାମ ଅନୁମତି ପାଇବା ସହ କାନଡାର ସ୍ଥାୟୀ ବାସିନ୍ଦା ପାଇଁ ଅନୁମତି ପାଇଗଲେ । ନିୟମ ଅନୁଯାୟୀ ଛାତ୍ରମାନେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଇମିଗ୍ରେସନ ଡିପାର୍ଟମେଣ୍ଟରେ ଦାଖଲ କଲେ । ତେବେ ଏହିଠୁ ଆରମ୍ଭ ହେଲା ଅସୁବିଧା । ଯେତେବେଳେ ସେମାନଙ୍କ ଆଡମିଶନ ଅଫର ଲେଟର ଯାଞ୍ଚ କଲେ ସେସବୁ ନକଲ ଥିବା ଜଣାପଡିଥିଲା । ଏହି ଛାତ୍ରମାନଙ୍କୁ ଏକ ଶୁଣାରୀ ସୁଯୋଗ ଦେଇ ଏବେ ଦେଶରୁ ବହିସ୍କାର ନୋଟିସ ଦିଆଯାଇଛି ।

ଏଜେଣ୍ଟ ଚତୁରତାର ସହ କାହାର ଭିସା ଆବେଦନ ପତ୍ରରେ ଦସ୍ତଖତ ନ କରି ପିଲାଙ୍କ ଠାରୁ ଦସ୍ତଖତ କରିନେଇଛି । ଯାହାଫଳରେ ଜଣାପଡିବ ଯେ ଛାତ୍ରମାନେ ବିନା ଏଜେଣ୍ଟରେ ନିଜେ ଆବେଦନ କରିଛନ୍ତି । ଯେହେତୁ ଏହି ସବୁ ନକଲି ଡକ୍ୟୁମେଣ୍ଟ ଥିଲା ମିଶ୍ର ଜାଣିକରି ଏପରି କରିଥିଲା ବୋଲି ବଟ୍ଟ କହିଛନ୍ତି ।

ଏବେ ଛାତ୍ରଙ୍କ ପାଖରେ କେବଳ ଗୋଟିଏ ସୁଯୋଗ ରହିଛି ଯେ ସେମାନେ କୋର୍ଟ ଯିବେ । ହେଲେ ଏଥିପାଇଁ ପ୍ରାୟ ୩ରୁ ୪ ମାସ ସମୟ ଲାଗିପାରେ । ଏହାଛଡା କାନଡାରେ ଓକିଲ ଫି ମଧ୍ୟ ବହୁତ ମହଙ୍ଗା । ଛାତ୍ରଙ୍କ ଅଭିଭାବକଙ୍କ ପକ୍ଷରୁ ଏଜେଣ୍ଟ ସହ ଯୋଗାଯୋଗ କରାଯିବାରୁ ତାର ଅଫିସ ବନ୍ଦ ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.