କି ସାଂଘାତିକ ଝିଅ! ସ୍ୱାମୀକୁ ୩୩ ଲକ୍ଷର ଚୂନା ଲଗେଇଲା ସ୍ତ୍ରୀ, କାନାଡ଼ା ଯାଇ ମୋବାଇଲ ନମ୍ବର କରିଦେଲା ବ୍ଲକ୍‌

ସ୍ୱାମୀକୁ ଠକି ଦେଲା ସ୍ତ୍ରୀ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପୂରାପୂରି ୩୩ ଲକ୍ଷ ଟଙ୍କାର ଚୂନା ଲଗେଇଦେଇଛି। ବିବାହ କରି ସ୍ୱାମୀଙ୍କୁ କାନାଡ଼ା ନେବାକୁ ପ୍ରତିଶ୍ରୁତି ଦେଇ ଠକି ଦେଇଛି ସ୍ତ୍ରୀ। ଏବେ ସ୍ତ୍ରୀର କୌଣସି ଖୋଜ୍‌ ଖବର ନ ପାଇ ଭାଁ ଭାଁ ହୋଇ ବୁଲୁଛି ନବ ବିବାହିତ ଯୁବକ। ଏଭଳି ମାମଲା ସାମ୍ନାକୁ ଆସିଛି ପଞ୍ଜାବର ବରନାଲାରେ। ପୋଲିସ ଏବେ ଉକ୍ତ ଝିଅ ଓ ତା’ ବାପା-ମାଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏ ନେଇ ସୂଚନା ଦେବା ଅବସରରେ ଧନୌଲା ଥାନାର ପୋଲିସ ଅଧିକାରୀ ଗୁରଭେଜ ସିଂହ କହିଛନ୍ତି, ପୋଲିସ ପାଖରେ ବଡ଼ବରର କୁଲଦୀପ ସିଂହ ଏକ ମାମଲା ରୁଜୁ କରି କହିଛନ୍ତି ୧୩ ଫେବ୍ରୁଆରୀ ୨୦୧୯ରେ ମୋ ବିବାହ କାନାଡ଼ା ନିବାସୀ ହରମନ୍‌ଦୀପ କୌରଙ୍କ ସହ ହୋଇଥିଲା। ମୁଁ ତାକୁ ୩୩ ଲକ୍ଷ ୪୦ ହଜାର ଟଙ୍କା ଦେଇ କାନାଡ଼ା ପଠାଇଥିଲି। ସେ ମୋତେ ପ୍ରତିଶ୍ରୁତି ଦେଇଥିଲେ ଯେ କାନାଡ଼ା ଯିବା ପରେ ସେ ମୋତେ ସେଠାକୁ ଡାକିନେବେ।

କିନ୍ତୁ ହରମନ୍‌ କାନାଡ଼ାରେ ପହଞ୍ଚିବା ପରେ ମୋତେ ବ୍ଲକ୍‌ କରିବା ସହ କଥା ବାର୍ତ୍ତା ବନ୍ଦ କରିଦେଇଛି। ଏଥିସହ ସେ ଓ ତାଙ୍କ ପରିବାର ମୋତେ ୩୩ ଲକ୍ଷ ୪୦ ହଜାର ଟଙ୍କାର ଠକେଇ କରିଛନ୍ତି। କୁଲଦୀପଙ୍କ ବୟାନ ଆଧାରରେ ହରମନଦୀପ କୌର, ମହେନ୍ଦ୍ର ସିଂହ, ତାଙ୍କ ପତ୍ନୀ ମନପ୍ରୀତ କୌର, ତାଙ୍କ ପୁଅ ଗିନ୍ନି ସିଂହ ବିରୋଧରେ ମାମଲା ରୁଜୁ କରି ଆଗାମୀ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା କହିଛନ୍ତି।

Leave A Reply

Your email address will not be published.