‘ଟିକା ନେବା ନ ନେବା ପ୍ରତ୍ୟେକ ନାଗରିକଙ୍କ ବ୍ୟକ୍ତିଗତ କଥା’…ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମ୍‌କୋର୍ଟ; କହିଲେ କୋଭିଡ୍‌ ଟିକା ନେବା ବାଧ୍ୟତାମୂଳକ ନୁହେଁ

ଏଣିକି କରୋନା ଟିକା ନେବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ। ପ୍ରତ୍ୟେକ ନାଗରିକ ନିଜ ଇଚ୍ଛା ଅନୁସାରେ ଟିକା ନେଇ ପାରିବେ। ଟିକା ନେବା ନ ନେବା, ପ୍ରତ୍ୟେକଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ସୋମବାର ସୁପ୍ରିମ୍‌କୋର୍ଟ କରୋନା ଭାଇରସ୍‌ ମୁକାବିଲା ନିମନ୍ତେ ଦେଶରେ ଟିକାକରଣ ଅଭିଯାନକୁ ନେଇ ଏହି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରିମ୍‌କୋର୍ଟ ନିଜ ଆଦେଶରେ କହିଛନ୍ତି କି, ଭ୍ୟାକ୍ସିନ୍‌ ପାଇଁ ଆପଣ କାହାକୁ ବାଧ୍ୟ କରି ପାରିବେ ନାହିଁ। ସୁପ୍ରିମ୍‌କୋର୍ଟଙ୍କ କହିବା ହେଲା, ନୀତି ନିର୍ମାଣ ଉପରେ କିଛି କହିବା ଉଚିତ ନୁହେଁ, କିନ୍ତୁ କାହାକୁ ବି ଟିକା ନେବାକୁ ବାଧ୍ୟ କରାଯାଇ ପାରିବ ନାହିଁ।

କୋର୍ଟ ଆହୁରି କହିଛନ୍ତି ଯେ ସରକାର ନୀତି ପ୍ରସ୍ତୁତ କରି ପାରିବେ ଏବଂ ଲୋକଙ୍କ ହିତ ପାଇଁ କିଛି ସର୍ତ୍ତ ଲଗାଇ ପାରିବେ। ସରକାର ଜନହିତରେ ଲୋକଙ୍କୁ ସଚେତନ କରି ପାରିବେ। କୋଭିଡ୍‌ ଟିକାକରଣର ଅନିବାର୍ଯ୍ୟତାକୁ ଅସମ୍ବିଧାନିକ ଘୋଷଣା କରିଥିବା ପିଟିସନ ଉପରେ ଶୁଣାଣି କରି ସୁପ୍ରିମ୍‌କୋର୍ଟ ଏହା କହିଛନ୍ତି। କୋର୍ଟଙ୍କ କହିବା ମୁତାବକ, ରୋଗ ନିୟନ୍ତ୍ରଣ ପାଇଁ ସରକାର ପ୍ରତିବନ୍ଧକ ଲଗାଇ ପାରିବେ। କିନ୍ତୁ ଟିକା ଲଗାଇବା ଏବଂ କୌଣସି ବି ପ୍ରକାର ଖାସ୍‌ ଔଷଧ ନେବାକୁ ଲୋକଙ୍କୁ ବାଧ୍ୟ କରି ପାରିବେ ନାହିଁ। ମହାମାରୀ ସମୟରେ କିଛି ରାଜ୍ୟ ସରକାର ଟିକାକରଣ ଅନିବାର୍ଯ୍ୟତାକୁ ନେଇ ଯେଉଁ ପ୍ରତିବନ୍ଧକ ଲଗାଇଥିଲେ, ସେଗୁଡ଼ିକୁ ତୁରନ୍ତ ହଟାଇ ଦେବାକୁ ସୁପ୍ରିମ୍‌କୋର୍ଟ କହିଛନ୍ତି।

ଏତଦ୍‌ ବ୍ୟତୀତ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ କୋଭିଡ୍‌-୧୯ ଟିକାକରଣର ପ୍ରତିକୂଳ ପ୍ରଭାବ ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କେନ୍ଦ୍ରର ଟିକାକରଣ ନୀତିକୁ ଉପଯୁକ୍ତ ବୋଲି ଦର୍ଶାଇ ସ୍ପଷ୍ଟ କରିଛନ୍ତି ଯେ କୌଣସି ବି ବ୍ୟକ୍ତି ଟିକା ନେବାକୁ ବାଧ୍ୟ ନୁହେଁ। ଟିକା ନେବା ନ ନେବା ପ୍ରତ୍ୟେକ ନାଗରିକଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଏଥିରେ କାହାରି ହସ୍ତକ୍ଷେପ ଦରକାର ନାହିଁ।

ଭ୍ୟାକ୍ସିନ୍‌ ନୀତି ଉପରେ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେବାକୁ ଯାଇ ସୁପ୍ରିମ୍‌କୋର୍ଟ କହିଛନ୍ତି, ଭ୍ୟାକ୍ସିନ୍‌ ଅନିବାର୍ଯ୍ୟତା ମାଧ୍ୟମରେ ଲୋକଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଆନୁପାତିକ ଏବଂ ସଠିକ୍‌ ବୋଲି କୁହାଯାଇ ପାରିବ ନାହିଁ। ଏବେ ଯେତେବେଳେ ସଂକ୍ରମଣର ବିସ୍ତାର ଏବଂ ତୀବ୍ରତା ସାଙ୍ଗକୁ ସଂକ୍ରମିତ ଲୋକଙ୍କ ସଂଖ୍ୟା କମିବାରେ ଲାଗିଛି, ତ ସାର୍ବଜନିକ ସ୍ଥଳରେ ଯିବାଆସିବା ଉପରେ କୌଣସି ପ୍ରତିବନ୍ଧକ ଲଗାଯିବା ଉଚିତ ନୁହେଁ। ସରକାର ପୂର୍ବରୁ ବି ଯଦି ଏ ନେଇ କୌଣସି ନିୟମ କି ପ୍ରତିବନ୍ଧକ ଲଗାଇ ରଖିଛନ୍ତି, ତ ସବୁଗୁଡ଼ିକୁ ତୁରନ୍ତ ଉଠାଇ ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.