ଟ୍ରାଫିକ୍ ପୁଲିସ ସହ ବାକ୍ବିତଣ୍ଡା, ହୃଦ୍ଘାତରେ ଚାଳକ ମୃତ
ନୋଏଡ଼ା: ଟ୍ରାଫିକ୍ ପୁଲିସ ସହ ବାକ୍ବିତଣ୍ଡା ବେଳେ ଜଣେ କାର୍ ଚାଳକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୋଏଡ଼ାରେ। ଚାଳକଙ୍କ ମୃତ୍ୟୁ ପରେ ସମ୍ପୃକ୍ତ ପୁଲିସ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ପୁଅର ମୃତ୍ୟୁ ଘଟଣାରେ ପିତାମାତା ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଦୋଷୀ ଟ୍ରାଫିକ୍ ପୁଲିସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ମୃତକ ଜଣକ ହେଲେ ଗୌରବ ଶର୍ମା।
ମୃତକଙ୍କ ଭାଇ ବୈଭବ ଶର୍ମାଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ଗୌରବ ଏକ ଆଇଟି କମ୍ପାନୀରେ କାମ କରନ୍ତି। ରବିବାର ସନ୍ଧ୍ୟାରେ ମା’ବାପାଙ୍କୁ ଧରି ସେ ଇନ୍ଦିରାପୁରମ୍ ଯାଉଥିଲେ। ସେକ୍ଟର-୬୨ ଅଣ୍ଡରପାସ୍ ପାର କରୁଥିବା ବେଳେ ସେମାନଙ୍କୁ ଜଣେ ଟ୍ରାଫିକ୍କର୍ମୀ ଅଟକାଇଥିଲେ। ଗୌରବ ଗାଡ଼ି ଅଟକାଇବା ପରେ ଟ୍ରାଫିକ ପୁଲିସ ଜଣକ କାର୍କୁ ୩-୪ ଥର ଲାଠିରେ ପିଟିଥିଲେ। ଗୌରବ ବାହାରକୁ ଆସିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଇଥିଲା। ତେବେ ହଠାତ୍ ଗୌରବ ରାସ୍ତା ଉପରେ ଟଳିପଡ଼ିଥିଲେ। ଏହା ଦେଖି ଟ୍ରାଫିକ୍ ପୁଲିସ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ବାପା ଗୌରବଙ୍କୁ ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷିତ କରିଥିଲେ। ତେବେ ଏ ନେଇ ଅଭିଯୋଗ ପରେ ନିକଟସ୍ଥ ସମସ୍ତ ଟ୍ରାଫିକ୍ ପୁଲିସଙ୍କୁ ପଚରାଉଚରା କରାଯାଇଥିଲା। ମାତ୍ର ସେମାନେ ଘଟଣା ସମ୍ପର୍କରେ ଜାଣିନଥିବା କହିଛନ୍ତି। ଏଣୁ ଘଟଣାର ତଦନ୍ତ କରି ଅଭିଯୁକ୍ତ ଟ୍ରାଫିକ୍ ପୁଲିସକୁ ଦଣ୍ଡିତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।