ଶିମ୍ଲାରେ ୨୦୦ ମିଟର ଗଭୀର ଖାଇକୁ ଖସିଲା କାର୍; ୨ ଯୁବକ ମୃତ, ୩ ଆହତ

ହିମାଚଳ ପ୍ରଦେଶର ରାଜଧାନୀ ଶିମ୍ଲା ନିକଟରେ ଏକ କାର୍ ୨୦୦ ମିଟର ଗଭୀର ଖାଇକୁ ଖସିପଡ଼ିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ମଙ୍ଗଳବାର ରାତିରେ ସମରକୋଟ-ସୁଙ୍ଗରୀ ଲିଙ୍କ୍ ରୋଡ୍ରେ ଘଟିଛି । କାର୍ ରୋହଡୁରୁ ଶିମ୍ଲା ଯାଉଥିଲା ।
କୁହାଯାଉଛି ଯେ ଏମାନେ ସମସ୍ତେ ଏକ ବିବାହ ସମାରୋହରେ କ୍ୟାଟରିଙ୍ଗ୍ କାମ ପାଇଁ ଯାଉଥିଲେ । ତେବେ ରାସ୍ତାରେ ହିଁ ଦୁର୍ଘଟଣା ଘଟିଥିଲା ।
ପୋଲିସ ସୂଚନା ଅନୁସାରେ, ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିବାରୁ ଏହା ଖାଇକୁ ଖସି ପଡ଼ିଥିଲା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ ଯୁବକଙ୍କ ପରିଚୟ ମିଳିଛି । ସେମାନେ ହେଲେ, ବିଲାସପୁର ଜିଲ୍ଲା ଭୋଜପୁର ଗାଁର ଲକି ଶର୍ମା (୨୫) ଓ ସୋଲନ ଜିଲ୍ଲା ଅର୍କି ନବଗାଁର ଇଶାନ୍ତ (୨୩) ।
ମୃତଦେହ ଦ୍ୱୟର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ଆହତ ୩ ଜଣ ଭରତ, ପଙ୍କଜ ଓ ରାକେଶଙ୍କର ରୋହଡୁର ସିଭିଲ୍ ହସ୍ପିଟାଲରେ ଚିକିତ୍ସା ଚାଲିଛି ।
ଶିମ୍ଲା ଏସ୍ପି ସଞ୍ଜୀବ କୁମାର ଗାନ୍ଧୀ କହିଛନ୍ତି, ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୮୧, ୧୨୫ (ଏ) ଏବଂ ୧୦୬ (୧) ଅଧୀନରେ ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।