ଉତ୍ତର ପ୍ରଦେଶର ଚନ୍ଦୋଲିରେ ଗତ ଦୁଇଦିନ ତଳେ ଏକ କାର୍ କେନାଲ ଭିତରକୁ ପଶି ଯାଇଥିଲା । ଏହି ଦୁର୍ଘଟଣାରେ କାର୍ରେ ଥିବା ୫ ଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିଲେ । ଦୁର୍ଘଟଣା ଘଟିବା କ୍ଷଣି ସ୍ଥାନୀୟ ଲୋକେ ଏବଂ ପୋଲିସ ପହଞ୍ଚି ବହୁ ପରିଶ୍ରମ ପରେ କାର୍ ଭିତରୁ ଯୁବକମାନଙ୍କୁ ଉଦ୍ଧାର କରିଥିଲେ । ଘଟଣାର ଯାଞ୍ଚ ପରେ ଏବେ ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ପୋଲିସ ଦୁର୍ଘଟଣାଗ୍ରସ୍ତ କାର୍କୁ ଜବତ କରିବା ସହ ୫ ଜଣ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଜେଲ୍ ପଠାଇ ଦେଇଛି । ଯାଞ୍ଚରୁ ଜଣାପଡ଼ିଛି ଯେ ଷ୍ଟଣ୍ଟ କରିବା ଚକ୍କରରେ କାର୍ କେନାଲରେ ଖସି ପଡ଼ିଥିଲା । ଯୁବକମାନେ ପିକ୍ନିକ କରିବାକୁ ଯାଇଥିଲେ ଏବଂ ବେପରୁଆ ଭାବରେ ଗାଡ଼ି ଚଲାଉଥିଲେ । ଯେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା ।
୫ ଜଣ ଯୁବକ ହେଉଛନ୍ତି ସ୍ଥାନୀୟ ଦିନଦୟାଲ ନଗରର ସିକଠିଆ ଅଞ୍ଚଳର ବାସିନ୍ଦା । ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଭାଇରାଲ ହେଉଛି ।
ପୋଲିସ ସୂଚନା ଅନୁସାରେ, ସେପ୍ଟେମ୍ବର ୨୫ରେ ଚନ୍ଦୋଲି ଅଞ୍ଚଳରେ ଏକ ଦ୍ରୁତଗାମୀ କାର୍ ଅନିୟନ୍ତ୍ରିତ ହୋଇ କେନାଲକୁ ଖସି ପଡ଼ିଥିଲା । ଏଥିରେ ୫ ଜଣ ଯୁବକ ଥିଲେ । ସମସ୍ତେ ପିକ୍ନିକ କରିବାକୁ ଯାଉଥିଲେ । କେନାଲରେ ଖସି ପଡ଼ିବା ପରେ କାର୍ଟି ପାଣି ସୁଅରେ ଭାସି ଯାଉଥିଲା । ଏହି ସମୟର ଏକ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା ।
ତେବେ ଘଟଣାସ୍ଥଳରେ ଥିବା କିଛି ଗ୍ରାମବାସୀଙ୍କ ସହାୟତାରେ ପୋଲିସ ଯୁବକମାନଙ୍କ ଜୀବନ ରକ୍ଷା କରିଥିଲା । ଏଥିସହ କ୍ରେନ ସାହାଯ୍ୟରେ କାର୍କୁ ବାହାର କରିଥିଲା । ଏବେ ଜଣାପଡ଼ିଛି ଯେ ଷ୍ଟଣ୍ଟବାଜୀ ଚକ୍କରରେ ଏହି ଦୁର୍ଘଟଣା ଘଟିଥିଲା । ଯୁବକମାନେ ଷ୍ଟଣ୍ଟ କରୁଥିଲେ ଏବଂ ବହୁ ଦ୍ରୁତ ଗତିରେ ଯାଉଥିବା ବେଳେ କାର୍ଟି ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଥିଲା ।