କୋଲକତା : ଶ୍ରଦ୍ଧାଳୁଙ୍କ ଉପରେ ଚଢିଗଲା କାର୍, ୬ ମୃତ

ଶ୍ରାବଣ ସୋମବାରରେ ଜଳଲାଗି କରି ଫେରୁଥିବା ବେଳେ ଅଘଟଣ । ମହାଦେବଙ୍କୁ ପୂଜାର୍ଚ୍ଚନା କରି ଆସିବା ପରେ ଚାଲିଗଲା ୬ ଜଣଙ୍କ ଜୀବନ । ମହାଦେବଙ୍କୁ ପାଣି ଢାଳି ଫେରୁଥିବା ବେଳେ କାଉଡ଼ିଆଙ୍କ ଉପରେ ଚଢ଼ିଗଲା ଏସୟୁଭି । ଫଳରେ ଘଟଣାସ୍ଥଳରେ ହିଁ ୬ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ବାଗଡୋଗରା ଘଟିଛି ଏଭଳି ଦୁର୍ଘଟଣା ।
ସୂଚନା ମୁତାବକ, ଶ୍ରାବଣ ମାସ ସୋମବାର ହୋଇଥିବା ଯୋଗୁ ଦେଓଘର ବାବାଧାମରେ ଭଗବାନ ଶିବଙ୍କ ନିକଟରେ ଜଳଲାଗି କରି ଏସୟୁଭିରେ କିଛି କାଉଡିଆ ସିକ୍କିମ ଯାଉଥିଲେ । ଅନ୍ୟପଟେ ବାଗଡୋଗରା ରିଜର୍ଭ ଫରେଷ୍ଟ ସ୍ଥିତ ଜଙ୍ଗଲି ବାବା ମନ୍ଦିର ଆଡକୁ ଚାଲି ଚାଲି କିଛି କାଉଡିଆ ଜଳ ନେଇ ଯାଉଥିଲେ ।
ଏହି ସମୟରେ ଏସୟୁଭି ଦ୍ରୁତ ଗତିରେ ଆସି ନିୟନ୍ତ୍ରଣ ହରାଇ ରାସ୍ତାରେ ଯାଉଥିବା କାଉଡିଆଙ୍କୁ ଧକ୍କା ଦେଇ ରାସ୍ତାକଡକୁ ଓଲଟି ପଡିଥିଲା । ଏଥିରେ ଘଟଣାସ୍ଥଳରେ ହିଁ ୬ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଛି । ସେହିପରି ଏସୟୁଭି ଥିବା ସମସ୍ତ କାଉଡିଆ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ଉତ୍ତର ପଶ୍ଚିମବଙ୍ଗର ହସପିଟାଲ କଲେଜରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ବିଷୟରେ ଖବର ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବାବାଧାମରୁ ଆସୁଥିବା କାରଟି ନିୟନ୍ତ୍ରଣ ହରାଇ ଜାତୀୟ ରାଜପଥ ୩୧ରେ ଚାଲୁଥିବା କାଉଡିଆଙ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା । ବର୍ତ୍ତମାନ ପୋଲିସ ଘଟଣାରେ ଯାଞ୍ଚ କରୁଛି ।